କାଜୁ ଦେଉଛି ରୋଜଗାର: ମାଲକାନଗିରି ବଣ୍ଡାଘାଟିରେ କାଜୁବାଦାମ ଫଳ ଓ ମଞ୍ଜି ବିକ୍ରି କରୁଛନ୍ତି ବଣ୍ଡା ଜନଜାତି

446

କନକ ବ୍ୟୁରୋ: ବଣ୍ଡାଘାଟିର କାଜୁ । ଆଦିମ ଜନଜାତିଙ୍କ ରୋଜଗାରର ଆଉ ଏକ ମାଧ୍ୟମ ହେଉଛି କାଜୁ ବ୍ୟବସାୟ । ବର୍ଷ ତମାମ ବିଭିନ୍ନ ଖାଦ୍ୟଶସ୍ୟ ଫସଲ କରି ଜୀବିକା ନିର୍ବାହ କରନ୍ତି ଆଦିମ ଜନଜାତି । କିନ୍ତୁ ଗ୍ରୀଷ୍ମ ଅବକାଶରେ ବଣ୍ଡାଘାଟିର କାଜୁ ଏମାନଙ୍କୁ କିଛି ରୋଜଗାର ଦେଇଥାଏ । କାଜୁ ଫଳରୁ ପାରମ୍ପରିକ ମଦ ପ୍ରସ୍ତୁତ କରିବା ସହ ମଂଜିକୁ ଏକାଠି କରି ମାଲକାନଗିରି ଏବଂ କୋରାପୁଟ ସୀମାନ୍ତରେ ଲାଗି ରହିଥିବା ସାପ୍ତାହିକ ହାଟରେ ଏମାନେ ବିକ୍ରି କରନ୍ତି । ବଜାର ସୁବିଧା ନଥିବାରୁ ବେଳେବେଳେ ଶାଗମାଛ ଦରରେ କାଜୁ ବିକ୍ରି କରିବାକୁ ଏମାନେ ବାଧ୍ୟ ହୋଇଥାଆନ୍ତି ।

ପରିଶ୍ରମ ଅଧିକ ହେଲେ ପାରିଶ୍ରମିକ କମ୍ । ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ କାଜୁ ବିକ୍ରି କରିବାକୁ ନାହିଁ ବଜାର ବ୍ୟବସ୍ଥା । ଚଳିବା ପାଇଁ ଘାଟି ମଣିଷ ଅନେକ ପରିଶ୍ରମ କରନ୍ତି । ହେଲେ ପାଉଣା ବାବଦରେ ଏମାନଙ୍କୁ ପାରିଶ୍ରମିକ ମିଳିନଥାଏ । ଏହି ଅଂଚଳରେ ବଣ୍ଡା ଉନ୍ନୟନ ବିଭାଗ ତରଫରୁ କାଜୁ ଗଛ ରୋପଣ ହୋଇଛି । କାଜୁ ଗଛରୁ ଏହାର ଫଳକୁ ସଂଗ୍ରହ କରି ମଞ୍ଜି ବିକ୍ରି କରିବା ସହ ଫଳରେ ମଦ ପ୍ରସ୍ତୁତ କରି ବିକ୍ରି କରନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଗଛ ଗୁଡ଼ିକରୁ ଫଳ ସଂଗ୍ରହ କରି ସପ୍ତାହେ ପର୍ଯ୍ୟନ୍ତ ରଖିବା ପରେ ଏହାର ରସରୁ ମଦ ପ୍ରସ୍ତୁତ ହୋଇଥାଏ । ମଞ୍ଜି କିଲୋ ପିଛା ୬୦ରୁ ୭୦ ଟଙ୍କାରେ ବିକ୍ରି କରି ଏମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ ।

ବଣ୍ଡାଘାଟି ଅଂଚଳରେ ଅଧିକ ମାତ୍ରାରେ କାଜୁ ଉତ୍ପାଦନ ହୋଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଖଇରପୁଟର ମୁଣ୍ଡିଗୁଡ଼ା ଠାରେ ପ୍ରଶାସନ ତରଫରୁ ଏକ ପ୍ରୋସେସିଙ୍ଗ ୟୁନିଟ୍ ସ୍ଥାପନ କରାଯାଇଥିଲା । ଏଠାରେ କାଜୁ ବିକ୍ରି କରି ଲାଭବାନ ହେଉଥିଲେ ବଣ୍ଡାଘାଟିର ଲୋକ । ହେଲେ ୟୁନିଟ୍ ରକ୍ଷଣାବେକ୍ଷଣା ଅଭାବରୁ ବନ୍ଦ ପଡ଼ିଛି । ଆଉ ଫାଇଦା ଉଠାଉଛନ୍ତି ଦଲାଲ ।