କନକ ବ୍ୟୁରୋ : ଘାଟି ମଣିଷଙ୍କ ରୋଜଗାରର ସ୍ୱପ୍ନ ଭାଙ୍ଗି ଯାଇଛି । ରୋଜଗାରର ମାଧ୍ୟମ ବନ୍ଦ ହେବାରୁ ଆନ୍ଧ୍ର ମୁହାଁ ହୋଇଛନ୍ତି ବଣ୍ଡା ଦାଦନ । ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ପାହାଡରୁ ଆସିଛି ଦାଦନ ବନିବାର ସାଂଘାତିକ ସତ । ୮ ବର୍ଷ ତଳେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ କୋଟି କୋଟି ଟଙ୍କାର ମାଲ୍ୟବନ୍ତ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ସରକାର । ବଣ୍ଡା ପାହାଡରୁ କାଜୁ ଆସିବା ପରେ ଏଠାରେ ପ୍ରକ୍ରିୟାକରଣ କରି ବାହାରେ ବିକ୍ରି କରାଯାଉଥିଲା । ଏହାଦ୍ୱାରା ଶହଶହ ବଣ୍ଡା ଯୁବକ ଯୁବତୀ ରୋଜଗାର ପାଉଥିଲେ । ହେଲେ ଏବେ ସେହି କାଜୁ ଯୁନିଟ୍ ବନ୍ଦ ରହିଛି । ବର୍ଷ ବର୍ଷ ଧରି ପ୍ରକ୍ରିୟାକରଣ କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ପାହାଡି ମଣିଷ ଦାଦନ ସାଜୁଥିବା ଅଭିଯୋଗ ହୋଇଛି ।

କାଜୁ ୟୁନିଟ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ । ରକ୍ଷଣାବେକ୍ଷଣା ଅଭାବରୁ ତାହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଜଣାଇଛନ୍ତି । ବଣ୍ଡାଙ୍କ ପ୍ରତିନିଧିତ୍ୱ କରୁଥିବା ରାଜନେତାଙ୍କ କଥାକୁ ପ୍ରଶାସନ ଖାତିର କରୁନଥିବା ଅଭିଯୋଗ ହୋଇଛି । ଏହାକୁ ଦୃଢ ନିନ୍ଦା କରିଛନ୍ତି ମାଲକାନଗିରିର ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ।

ଆଦିମ ଜନଜାତିଙ୍କ ବିକାଶ ପାଇଁ ବିଡିଏ, ଓପିଲିପି ଏବଂ ଆଇଟିଡିଏ ପ୍ରକଳ୍ପ ଅଧିନରେ ବିଭିନ୍ନ ସେଚ୍ଛାସେବୀ ସଂସ୍ଥା କାମ କରୁଛି । ହେଲେ ବିକାଶର ଓଲଟା ଚିତ୍ର ଘାଟି ଅଂଚଳରେ ଦେଖିବାକୁ ମିଳୁଛି ।