ଏମିତି ଚାଲିଛି ଡିଜିଟାଲ ଭାରତ : ମୋବାଇଲ ନେଟୱାର୍କ ନଥିବାରୁ ପାହାଡ ଉପରେ କୁଡିଆ ବାନ୍ଧି ପାଠ ପଢୁଛନ୍ତି ବଣ୍ଡା ଛାତ୍ରଛାତ୍ରୀ; ମାଲକାନଗିରି ବଣ୍ଡାଘାଟିରୁ ଆସିଲା ଚିତ୍ର

172

କନକ ବ୍ୟୁରୋ : ମାଲକାନଗିରି ବଣ୍ଡାଘାଟିରୁ ଆସିଲା ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ଗାଁରେ ମିଳୁନି ମୋବାଇଲ୍ ଇଂଟରନେଟ୍ ନେଟୱାର୍କ । ପାଠ ପଢିବାକୁ ପାହାଡ ଚଢୁଛନ୍ତି ବଣ୍ଡା ଯୁବତୀ । ପାହାଡ ଉପରେ ନେଟୱର୍କ ଆସୁଥିବା ସ୍ଥାନରେ କୁଡିଆ ବାନ୍ଧି ପ୍ରତ୍ୟକ ଦିନ ଅନଲାଇନରେ ପାଠ ପଢୁଛନ୍ତି ଆଦିବାସୀ ଛାତ୍ରୀ । ଏପରି ଚିତ୍ର ଆସିଛି ମାଲକାନଗିରିର ଡୁମୁରିପଡା ଗାଁରୁ । ଗାଁର ୫ ଜଣ ଛାତ୍ରୀ ଏହି ପରି କୁଡିଆ ବାନ୍ଧି ପାହାଡ ଉପରେ ଅନଲାଇନରେ ପାଠ ପଢୁଛନ୍ତି । ପ୍ରବଳ ବର୍ଷାକୁ ବି ଖାତିର ନକରି ଏହି ବଣ୍ଡା ଛାତ୍ରୀ ଜାରି ରଖିଛନ୍ତି ପାଠ ପଢିବାକୁ ଉଦ୍ୟମ । ନିଜ ପାଖରେ ନାହିଁ ମୋବାଇଲ୍ ଫୋନ୍ । ସମ୍ପର୍କୀୟଙ୍କ ଠାରୁ ଫୋନ୍ ମାଗି ପ୍ରତିଦିନ ଏହି ପରି ପାହାଡ ଚଢି କୁଡିଆରେ ପହଁଚି ଏମାନେ ପାଠ ପଢୁଛନ୍ତି ।

ସବୁଠାରୁ ଚିନ୍ତାଜନକ କଥା ହେଉଛି ୫ ଜଣଙ୍କ ପାଇଁ କେତେବେଳେ ଗୋଟିଏ ତ କେତେବେଳେ ୩ଟି ମୋବାଇଲ୍ ଯୋଗାଡ ହୋଇପାରୁଛି । ବଣ୍ଡା ଘାଟିରେ ପାଠ ପଢିବାକୁ ଏହିପରି ପ୍ରତ୍ୟକ ଦିନ ସଂଘର୍ଷ କରୁଛନ୍ତି ଏହି ବଣ୍ଡା ଯୁବତୀମାନେ । ଏପରି ସ୍ଥଳରେ ସରକାରଙ୍କ ଅନଲାଇନ୍ ଶିକ୍ଷା ଦାନ ବ୍ୟବସ୍ଥାରେ ମୋବଇଲ୍ ନେଟୱର୍କ ଏମାନଙ୍କ ସଂଘର୍ଷକୁ ଦୁଇ ଗୁଣ ବଢାଇ ଦେଇଛି ।