କନକ ବ୍ୟୁରୋ: ବିପଦ ପାଲଟିଛି ବଣ୍ତା ପାହାଡ । ବହୁ ଚର୍ଚ୍ଚିତ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତା ଘାଟି ଏବେ ସାଜିଛି ବିପଦ । ଲଗାଣ ବର୍ଷାରେ କେତେବେଳେ ପାହାଡ ଉପରୁ ପଥର ଖସୁଛି ତ ଆଉ କେତେବେଳେ ଧସୁଛି ମାଟି । ୨ ସପ୍ତାହ ମଧ୍ୟରେ ଦୁଇ ଥର ପାହାଡ ଧସିବା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

Advertisment

ଖଇରପୁଟ ସଦର ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଆଦିମ ଜନଜାତିଙ୍କ ଆବାସସ୍ଥଳୀ। ପ୍ରାୟ ୫ ହଜାରରୁ ଅଧିକ ବଣ୍ତା ଜନଜାତି ଏଠାରେ ବାସ କରନ୍ତି । ସେମାନଙ୍କ ପ୍ରତିଦିନ ବ୍ଲକ ସଦରକୁ ଯିବା ଆସିବା ପାଇଁ ଗୋଟିଏ ରାସ୍ତା ହିଁ ଭରସା ପାଲଟିଛି । ଘାଟି ଉପରେ ଥିବା ମୁଦୁଲିପଡା ଓ ଅଣ୍ତ୍ରାହଲ ପଞ୍ଚାୟତ ସମେତ ଚିତ୍ରକୋଣ୍ତା ବ୍ଲକର ଯନ୍ତ୍ରୀ ପଞ୍ଚାୟତର କିଛି ଗାଁ ମଧ୍ୟ ବଣ୍ତାପାହାଡ ରାସ୍ତା ଦେଇ ଯାତାୟତ କରିଥାନ୍ତି। ଲଗାଣ ବର୍ଷାରେ ପାହାଡ ଉପରୁ ପଥର ଓ ମାଟି ଧସି ରାସ୍ତା ଉପରେ ପଡିବାରୁ କେତେବେଳେ କଣ ଘଟିବ ତାହା କହିବା ଅସମ୍ଭବ। ଆର ଏଣ୍ତ ବି ବିଭାଗ ତରଫରୁ ରାସ୍ତା କଡ଼ ଓ ପାହାଡକୁ ଲଗାଇ ହୋଇଥିବା ସୁରକ୍ଷିତ କଂକ୍ରିଟ ୱାଲ ଠିକ୍ ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଅଭିଯୋଗ କରିଛନ୍ତି ଲୋକେ।