ପୁଲିସ ଓ ପ୍ରଶାସନର ଅଯଥା କଟକଣା ସାଜିଛି ବାଧକ । ନିୟମ କୋହଳ କରିବାକୁ ବ୍ୟାଣ୍ଡ ପାର୍ଟି ସଂଘ ମାଲିକଙ୍କ ଦାବି

809

କନକ ବ୍ୟୁରୋ : ବାହାଘର, ପୂଜା ଭସାଣୀରେ ଶୁଭିବନି ବ୍ୟାଣ୍ଡ ବାଜା । ପୁଲିସ ଜୁଲମ ଓ ପ୍ରଶାସନ କଟକଣା ଯୋଗୁ ପଡିଛି ଚଡକ । ସରକାରୀ ନିୟମ ମୁତାବକ ନିର୍ଦ୍ଧାରିତ ସମୟ ସୀମା ଓ ଶଦ୍ଦ ପରିମାତ୍ରାକୁ ମାନୁଥିଲେ ବି ସେମାନଙ୍କ ଉପରେ କଟକଣା ଲଗାଯାଉଥିବା ଅଭିଯୋଗ ହୋଇଛି । ବିନା କାରଣରେ ପୁଲିସ ସେମାନଙ୍କୁୁ ବିଭିନ୍ନ ବାଟରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ବ୍ୟାଣ୍ଡପାର୍ଟି ମାଲିକ ମାନେ । ନୁଆ ପାର୍ଟି ପଂଜିକରଣ ପାଇଁ ବ୍ୟାଣ୍ଡ ମାଲିକ ୩୦ହଜାର ଟଙ୍କା ଜିଲ୍ଲା ପ୍ରଶାସନକୁ ଦେଉଛି । ହେଲେ ସେମାନଙ୍କୁ କେବଳ ୧୦ ହଜାର ଟଙ୍କାର ରସିଦ୍ ଦିଆଯାଉଛି । ଏହି ସମସ୍ତ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବ୍ୟାଣ୍ଡପାର୍ଟି ମାଲିକ ।

ବ୍ୟାଣ୍ଡ ପାର୍ଟି ଦଳଙ୍କୁ ୫ ବର୍ଷିଆ ଲାଇସେନ୍ସ ଦିଆଯିବାକୁ ଦାବି ହୋଇଛି । ତା ସହିତ ବାଦ୍ୟ ଯନ୍ତ୍ରରୁ ନେଇ ସାଉଣ୍ଡ ସିଷ୍ଟମର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ନିୟମ କରାଯାଉ ବୋଲି ଦାବିପତ୍ର ଦିଆଯାଇଛି । ସେପଟେ ନିର୍ଦ୍ଧାରିତ ସମୟ ଭିତରେ ପ୍ରସେଶନ ସାରୁନଥିବା ଲୋକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । କୌଣସି ବ୍ୟାଣ୍ଡପାର୍ଟି ଉପରେ ଜୁଲମ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଉଠିଛି ପ୍ରଶ୍ନ ।

ବ୍ୟାଣ୍ଡ ବାଜା ପାର୍ଟିଙ୍କ ପ୍ରତି ନିୟମ କୋହଳ କରାନଗଲେ ଆଗକୁ ଆଉ ପର୍ବ ପର୍ବାଣୀ ଓ ବାହାଘରରେ ଆଉ ଏହି ବାଜା ଶୁଣିବାକୁ ମିିଳିବନି ।