ବନାନିଙ୍କ ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ । ନିଜେ ଲାଭବାନ ହେବା ସହ ୫୦ ମହିଳାଙ୍କୁ ଦେଇଛନ୍ତି ରୋଜଗାର

81

କନକ ବ୍ୟୁରୋ : ବନାନିଙ୍କ ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ । ଫୁଲବାଣୀର ସଫଳ ମହିଳା ଉଦ୍ୟୋଗୀ ବାନାନୀ ରାଣୀ ପଟ୍ଟନାୟକଙ୍କ ଇକୋ ଫ୍ରେଣ୍ଡଲି ଶାଳ ଓ ଶିଆଳି ଖଲିପତ୍ର ୟୁନିଟ୍ କରି ୫୦ଜଣ ମହିଳାଙ୍କୁ ରୋଜଗାର ଯୋଗାଇଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ବି ପହଂଚିଲାଣି ତାଙ୍କ ଦ୍ୱାରା ପ୍ରସ୍ତୁତ ଖଲିପତ୍ର । ସୁଦୁର ଜର୍ମାନୀ ଓ ଅଷ୍ଟ୍ରେଲିଆରୁ ତାଙ୍କ ପରିବେଶ ଉପଯୋଗୀ ଥାଳି, କପ୍ ଓ ଦନା କିଣିବା ପାଇଁ ଆସୁଛି ଅର୍ଡ଼ର । ବ୍ୟାଙ୍କରୁ କିଛି ରୁଣ ଆଣି ଆରମ୍ଭ କରିଥିବା ବ୍ୟବସାୟ ଏବେ ୨୦ ଲକ୍ଷ ଟଙ୍କାରେ ପହଂଚିଲାଣି । ଥାଳି, ଦନା, କପ୍, ପ୍ଲେଟ୍ ତିଆରି ପାଇଁ ୫ ପ୍ରକାରର ମେସିନ୍ ବସିଛି । ମହିଳା ମାନେ ତାଙ୍କ ଉଦ୍ୟୋଗରେ କାମ କରି କିଛି ରୋଜଗାର କରିପାରୁଛନ୍ତି । ମହିଳାଙ୍କୁ ଆତ୍ମନିର୍ଭର କରାଇବା ଏବଂ ପରିବେଶ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏଭଳି ଉଦ୍ୟମ କରି ଏଥିରେ ସଫଳତା ପାଇଛନ୍ତି ବନାନି ।

ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବାନାନୀଙ୍କ ୟୁନିଟକୁ ଯୋଗାଇଥାନ୍ତି ମହିଳା । ଆଦିବାସୀ ମହିଳାମାନେ ବାନାନୀଙ୍କ ଏହି ୟୁନିଟରେ ପତ୍ର ସିଲେଇ ଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ ପେପର ବୋର୍ଡ କଟିଂ କରିବା ଭଳି ସମସ୍ତ କାମ କରିଥାନ୍ତି । ଦିନକୁ ୮ ଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରି ମାନେ ଘଣ୍ଟାକୁ ହଜାର ପ୍ଲେଟ ଓ ଥାଳି ପ୍ରସ୍ତୁତ କରିପାରୁଛନ୍ତି ।

ଏଥିପାଇଁ ବାନାନୀ କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ଏମ.ଏସ.ଏମ.ଇ ପ୍ରଶିକ୍ଷଣ ନେଇଥିଲେ । ବ୍ୟାଙ୍କରୁ ଋଣ ନେଇ ଜିଲ୍ଲା ଶିଳ୍ପକେନ୍ଦ୍ରର ସାହାଯ୍ୟରେ ଏହି ଉଦ୍ୟୋଗ ଆରମ୍ଭ କରିଥିଲେ । କରୋନା ମହାମାରୀ ସମୟରେ ସବୁକିଛି ଅଟକି ଯାଇଥିବା ବେଳେ ବାନାନୀ ଙ୍କର ଏହି ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ ଅଟକି ନଥିଲା । ପରିବେଶ ଅନୁକୁଳ ସାମଗ୍ରୀ ହୋଇଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ରହିଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ପ୍ରକୃତିରୁ ମିଳୁଥିବା ଶାଳ ଓ ଶିଆଳି ପତ୍ରକୁ ବ୍ୟବହାର କରି ଖଲିପତ୍ର ପସ୍ତୁତ କରିବା ବନାନିଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।