କନକ ବ୍ୟୁରୋ : କୁହାଯାଏ, ଜଳ ବହୁଳେ ସର୍ବନାଶ, ଜଳ ବିହୁନେ ସର୍ବନାଶ । ଜଳ ଅଧିକ ହେଲେ, ବାତ୍ୟା ଆସିଥାଏ ଏବଂ ଜଳ ଅଭାବ ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ । ଜଳ ସଙ୍କଟ ଉତ୍କଟ ହୋଇଥିବାରୁ ତାମିଲନାଡୁର ରାଜଧାନୀ ସହର ଚେନ୍ନାଇରେ ହୋଟେଲ୍‌ ଓ ରେସ୍ତୋରାଁ ସବୁରେ ଷ୍ଟିଲ୍‌ ବାସନ ପରିବର୍ତ୍ତେ କଦଳୀପତ୍ରରେ ଖାଦ୍ୟ ପରଷା ଯାଉଛି । ଏଥିରେ ସହଯୋଗ କରିବା ପାଇଁ ଗ୍ରାହକମାନଙ୍କୁ ଅନୁରୋଧପୂର୍ବକ କେତେକ ରେସ୍ତୋରାଁରେ ନୋଟିସ୍‌ ଲଗାଯାଇଛି ।

Advertisment

କଦଳୀପତ୍ରରେ ଖାଦ୍ୟ ପରିବେଷଣ କରିବା ତାମିଲନାଡୁ ଓ କେରଳର ପ୍ରାଚୀନ ସଂସ୍କୃତି । ପାରମ୍ପରିକ ଭାବେ ବିବାହ ଭୋଜି, ମନ୍ଦିର ପୂଜା ପ୍ରସାଦ, ଉତ୍ସବକାଳୀନ ଭୋଜି ଆଦି କଦଳୀପତ୍ରରେ ହିଁ ପରିବେଷଣ କରାଯାଏ । ହୋଟେଲ୍‌ ମାନଙ୍କରେ ଉପୁଜିଥିବା ପରିସ୍ଥିତି ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ନାମ୍ମା ବୀଦୁ ବସନ୍ତ ଭବନର ନିର୍ଦେଶକ ଆନନ୍ଦ କୃଷ୍ଣନ କହନ୍ତି, ବହୁ ବିଳମ୍ବରେ ଆମେ କଦଳୀପତ୍ରରେ ବିଭିନ୍ନ ଖାଦ୍ୟ ପରିବେଷଣ କଲୁ । ମାତ୍ର ଗୋଟିଏ ପ୍ଲେଟ୍‌ ଉପରେ କଦଳୀପତ୍ର ପକାଇ ଆମେ ପ୍ରଥମ ଖାଦ୍ୟ ପରିବେଷଣ କରିବା ସହ ପରେ ଆଉ କିଛି ଖାଇବା ମଗାଇଲେ ସେ ପାଇଁ ପ୍ଲେଟ୍‌ ନ ମାଗିବାକୁ ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ ।

‘ଲୁଣି ପାଣି’ ବୋଲି ନୋଟିସ୍‌ ଲଗାଇ କେତେକ ହୋଟେଲ୍‌ରେ ହାତ ଧୋଇବା ପାଇଁ ସମୁଦ୍ର ପାଣି ରଖାଯାଇଛି । ପାଣି ନ ଥିବାରୁ ପରିବା ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି ଓ ଦର ବଢ଼ିଛି । କଦଳୀପତ୍ରର ଚାହିଦା ବଢ଼ିଥିବାରୁ ତା’ର ମଧ୍ୟ ମୂଲ୍ୟ ବୃଦ୍ଧି ପାଉଛି । ଅଳ୍ପ କେତେ ମାସ ତଳେ ୨୫, ୦୦୦ ଲିଟର ପାଣିର ମୂଲ୍ୟ ଥିଲା ମାତ୍ର ୧୫୦୦ ଟଙ୍କା । ଏବେ ତାହାର ମୂଲ୍ୟ ୬୦୦୦ ଟଙ୍କା ହେଲାଣି । ପରିବାପତ୍ରର ମୂଲ୍ୟ ପ୍ରାୟ ୨୦% ରୁ ୩୦% ବୃଦ୍ଧି ପାଇଛି । ଏମିତି ଦର ବଢ଼ି ଚାଲିଲେ ତରକାରିର ପ୍ରକାର କମାଇ ଦିଆଯିବ ବୋଲି ଅନେକ ହୋଟେଲ୍‌ ମାଲିକ ସ୍ଥିର କରିଛନ୍ତି ।