ଦିନରେ କେଳା, ରାତିରେ ଚୋର। ଗାଁ ଗାଁରେ କଳାକନା ବୁଲାଉଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଦ୍ଧା ପୁଲିସ

134

କନକ ବ୍ୟୁରୋ: ଦିନରେ କେଳା, ରାତିରେ କରନ୍ତି ଲୁଟପାଟ୍ । ଏଭଳି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଧା ପୁଲିସ । ସେମାନଙ୍କଠାରୁ ୨ଶହ ୫୦ ଗ୍ରାମର ସୁନା, ୫ କେଜି ରୂପା ଗହଣା ଜବତ ହୋଇଛି । ଏହାସହ ଏକ ମୃତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଛି । ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ ଦିନବେଳା ଗାଁ ଗାଁରେ ସାପୁଆ କେଳା ଭାବେ ବୁଲନ୍ତି, ଚୋରି କରିବା ପାଇଁ ଜାଗା ଦେଖିଆସନ୍ତି । ଏବଂ ରାତିରେ ନିଜର ଦଳବଳ ନେଇ ଚୋରି କରନ୍ତି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଚୋରି ଅଭିଯୋଗ ଆସିବା ପରେ ଖୋର୍ଧର୍ା ପୁଲିସର ସ୍ପେଶାଲ ସ୍ୱାର୍ଡ ଓ ବୋଲଗଡ ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି ।

ବୋଲଗଡ ଥାନା ମାଣିକାଗୋଡା ଅଞ୍ଚଳର ଗୋବିନ୍ଦ୍ର ଚନ୍ଦ୍ର ସାହୁଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ । ସେମାନଙ୍କ ଠାରୁ ଏସବୁ ସାମଗ୍ରୀ ମିଳିଥିବା ବେଳେ ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲାରୁ ଏଗୁଡିକୁ ଚୋରି କରିଥିବା ଲୁଟେରାମାନେ ପୁଲିସ ଆଗରେ ମାନିଯାଇଛନ୍ତି । ଅଭିଯୁକ୍ତମାନେ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଶହେରୁ ଅଧିକ ଲୁଟ ମାମଲା ରହିଛି । ଏହି ଗ୍ୟାଙ୍ଗରେ ଆହୁରି ଅଧିକ ବ୍ୟକ୍ତି ଅଛନ୍ତି । ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।