କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କୁ ନେଇ ନୂଆ ବିବାଦ । ଢେଙ୍କାନାଳରେ ବନଯାଗ ଯାତ୍ରା, ପୁରୀରେ ଏତଲା । ଖୋଳ କୀର୍ତ୍ତନରେ ଫାଟି ପଡୁଛି ପରିବେଶ । ଶ୍ରଦ୍ଧାଳୁ ସମାଗମ ଓ ଜୟ ଜଗନ୍ନାଥ ନାରାରେ ମୁଖରିତ ହେଉଛି ଅଞ୍ଚଳ । ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଏକଘରିଆ ଗାଁରେ ଚାଲିଛି ବନଯାଗ ଯାତ୍ରା । ବ୍ରାହ୍ମଣୀ ନଦୀ କୂଳରେ ଥିବା ଶରଣ ଶ୍ରୀକ୍ଷେତ୍ରରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିର । ଗତ ୨୨ ତାରିଖରୁ ବିଭିନ୍ନ ରୀତିନୀତି ଅନୁଯାୟୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦାରୁ ସଂଗ୍ରହ କରାଯାଉଛି । ସେପଟେ ଏହାକୁ ଜଗନ୍ନାଥ ପରମ୍ପରା ବିରୋଧୀ କହି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଦଇତାପତି ନିଯୋଗ । ଅନ୍ୟପଟେ ଶରଣ ଶ୍ରୀକ୍ଷେତ୍ର ପରିଚାଳକ ଚିଣଟୁ ବାବା କହିଛନ୍ତି. ଜାଣିଶୁଣି କିଛି ଭୁଲ କରାଯାଇନାହିଁ ।

Advertisment

ଦଇତାପତି ନିଯୋଗ ପ୍ରେସମିଟ କରି ଢେଙ୍କାନାଳରେ ଅଦିନିଆ ନବକଳେବରକୁ ତୀବ୍ର ନିନ୍ଦା କରିଛି । କହିଛି ଶ୍ରୀମନ୍ଦିର ଛଡା ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ନବକଳେବର ହେବାର ପରମ୍ପରା ନାହିଁ । ଢେଙ୍କାନାଳରେ ଯାହା ଚାଲିଛି, ତାହା ଶ୍ରୀଜଗନ୍ନାଥ ପରମ୍ପରାର ବିରୋଧ, ଏହା ମହାପ୍ରଭୁଙ୍କ ପ୍ରତି ଅପମାନ । ସେହିପରି ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଇତାପତି ନିଯୋଗ ।