ଆଲୋକର ପର୍ବ ଦୀପାବଳିରେ କନକ ନ୍ୟୁଜର ନିଆରା ପ୍ରୟାସ : ବାଣ ବଦଳରେ ହସ ଫୁଟାଇବାକୁ ଆଗେଇ ଆସିଲେ ଟେଲି ଅଭିନେତ୍ରୀ ଏଲିନା

115

କନକ ବ୍ୟୁରୋ : ପାଠ ପଢି ପୁଲିସ ଚାକିରୀ କରିବାର ସ୍ୱପ୍ନ ନେଇ ବଂଚୁଛନ୍ତି କୁନି ଝିଅ ଦୀପା । ପରିବାର କହିଲେ ୩ଭଉଣୀ ଓ ମା । ବାପା ଘର ଛାଡି ଚାଲିଯାଇଛନ୍ତି । ଆଉ ଏବେ ମା’ କାମ କରି ପରିବାର ପୋଷୁଛନ୍ତି । ଅଭାବ ଅନାଟନରେ ବଢୁଥିବା ଏହି ତିନି ଝିଅ ଅନ୍ୟମାନଙ୍କ ପାଇଁ ବଡ ଉଦାହରଣ । ଏମାନଙ୍କ ମୁହଁରେ ଖୁସି ନାହିଁ ସତ କିନ୍ତୁ ମନଭିତରେ ରହିଛି ପାଠ ପଢି ବଡ ଚାକିରୀ କରିବାର ଅଦମ୍ୟ ଇଛା । ସାଲିଆ ସାହି ବସ୍ତିରେ ରୁହନ୍ତି ଦୀପାର ପରିବାର । କାମ କରି ଟଙ୍କା ରୋଜଗାର କରିବା ପାଇଁ ଭୋର ହେବା ପୂର୍ବରୁ ଘରୁ ବାହାରି ଯାଆନ୍ତି ମା । ସକାଳ ର ସୂର୍ଯ୍ୟ ଉଇଁଲାବେଳକୁ ମା ବି ପାଖରେ ନଥାନ୍ତି । ବାସ୍ ଦୀପା ପାଲଟିଯାଏ ଘରର ମୁରବି । ଦୁଇ ଛୋଟ ଭଉଣିକୁ ଗାଧେଇଦେବା ଠୁ ଆରମ୍ଭ କରି ଖୁଆଇ ଦେବା ଯାଏଁ ସବୁ କାମ ଦୀପା ଅତି ସ୍ନେହର ସହ କରନ୍ତି । ଆଉ ସେମାନଙ୍କୁ ପାଠ ପଢାଇବାକୁ ବି ଭୁଲି ନଥାନ୍ତି ସେ । କିନ୍ତୁ ଆଗକୁ ଥିବା ଦୀପାବଳିରେ ବି ଏମାନଙ୍କର କିଛି ଇଛା ଅଛି ଆଉ ସେ ଇଛା ପୂରଣ କରିବ କିଏ ।

ଦୀପା ଓ ତାଙ୍କ କୁନି କୁନି ଭଉଣୀଙ୍କ ଇଛା ପୂରଣ କରିବା ପାଇଁ କିଛି ଉପହାର ନେଇ ତାଙ୍କ ପାଖରେ ପହଂଚିଥିଲେ ସେଦିନର ସିଲଭର ସ୍କ୍ରିନ୍ ଅଭିନେତ୍ରୀ ଆଉ ଆଜିର ନେତ୍ରୀ ଏଲିନା ଦାସ । ଏଲିନାଙ୍କୁ ଦେଖୁ ଦେଖୁ ସମସ୍ତଙ୍କ ମୁହଁରେ ଖୁସି ଫୁଟିଯାଇଥିଲା । ଆଉ ଏଲିନା ବି ବେଶ ଆପଣେଇ ଥିଲେ ଏମାନଙ୍କୁ । କିଛି ସମୟ ପାଇଁ ଭାବର ଆଦାନ ପ୍ରଦାନ ଚାଲିଥିଲା । କୁନି ପିଲା ନିଜ ମନ ପସନ୍ଦର ଉପହାର ପାଇ ବି ଖୁସି ହୋଇଯାଇଥିଲେ ।

ଅଭାବ ଅନାଟନରେ ଦିନ କାଟୁଥିବା ଏହି ତିନି ଭଉଣୀ ଏଲିନାଙ୍କୁ ପାଖରେ ପାଇ ବେଶ ଖୁସି ହୋଇଯାଇଛନ୍ତି । ଏଲିନା ତ ଦୀପାବଳିରେ ବାଣ ଫୁଟାଇବା ବଦଳରେ ଏ ପରିବାର ମୁହଁରେ ହସ ଫୁଟାଇଛନ୍ତ ।