ବାଣ ନୁହେଁ ହସ ଫୁଟାଇବା ! ଦେଖନ୍ତୁ କନକ ନ୍ୟୁଜର ଏହି ନିଆରା ଅଭିଯାନରେ କିଏ ହୋଇଛନ୍ତି ସାମିଲ୍

49

କନକ ବ୍ୟୁରୋ : ଆସୁଛି ଦୀପାବଳି । ଆଲୋକର ଏ ପର୍ବ ପାଇଁ କେତେ ସଜବାଜ, କେତେ ପ୍ରସ୍ତୁତି । ହେଲେ କେବେ ଭାବିଛନ୍ତି, ଯେଉଁମାନଙ୍କ ଜୀବନ ଅମାବାସ୍ୟାର ଅନ୍ଧାର ଭିତରେ ଘାଂଟିଚକଟି ହେଉଛି । ଯେଉଁମାନଙ୍କ ପାଇଁ କିଛି ମାନେ ରଖେନି ଏ ଆଲୋକର ପର୍ବ । ସେମିତି କିଛି ମଣିଷଙ୍କ ମୁହଁରେ ଖୁସି ଭରି ଦେବାକୁ ଆମର ଏ ଅଭିଯାନ- ବାଣ ନୁହେଁ ହସ ଫୁଟାଇବା । ଆସନ୍ତୁ ଦେଖିବା, କିଏ ଆଜି ହସ ବଜାରରୁ ହସ କିଣି ପହଂଚି ଯାଇଛନ୍ତି ଅଭାବୀ ବସ୍ତିରେ ।

bana nuhen hasa phutaiba ସୁଶାନ୍ତ, ବୟସ ୨୦ ବର୍ଷ । ପରିବାରର ବୋଝ ମୁଣ୍ଡାଇବା ବୟସରେ ଖୋଦ୍ ନିଜେ ପରିବାର ପାଇଁ ପାଲଟି ଯାଇଛନ୍ତି ବୋଝ । ସାହାରାଟିଏ ନହେଲେ ଘରୁ ପାଦ ପାଢ଼ିବା ବି ସଂଭବ ହଉନି । ଭୁବନେଶ୍ୱରର ସାଲିଆ ସାହିରେ ବାପା-ମା ଓ ଭାଇଙ୍କୁ ନେଇ ରୁହନ୍ତି ସୁଶାନ୍ତ । ଜନ୍ମ ହେଲା ବେଳକୁ ସବୁ ଠିକ ଠାକ୍ ଥିଲା, ହେଲେ ୧୪ବର୍ଷ ଛୁଇଁଲା ବେଳକୁ ୨ଟି ଯାକ ଗୋଡ ଅଚାନକ୍ ଅକାମୀ ହୋଇଗଲା । ପରିବାର ଉପରେ ଯେମିତି ଛିଣ୍ଡି ପଡ଼ିଲା ଦୁଃଖର ପାହାଡ଼ ।

ଦୁଃଖ ଓ ଯନ୍ତ୍ରଣା ଭିତରେ ବି କିନ୍ତୁ ହସିବା ଭୁଲି ନାହାଁନ୍ତି ସୁଶାନ୍ତ । ପଢ଼ିବାକୁ ବହୁତ ଆଗ୍ରହ, ସ୍କୁଲ-କଲେଜ ଯିବା ପାଇଁ ଖୁବ୍ ଇଚ୍ଛା । ସେଥିପାଇଁ ତ, ଯେଉଁଠି ଯାହା ବହିପତ୍ର ମିଳିଲେ, ଘରେ ବସି ପଢିବା ଆରମ୍ଭ କରିଦିଅନ୍ତି ।

ସୁଶାନ୍ତଙ୍କ ଜୀବନର ଘନ ଅନ୍ଧକାର ଭିତରେ ଆସୁଛି ପୁଣି ଏକ ଦୀପାବଳି । ଠିକ୍ ଅନ୍ୟପିଲାଙ୍କ ଭଳି ହସଖୁସିରେ ଆଲୋକର ପର୍ବ ପାଳିବାକୁ ତାର ବି ଇଚ୍ଛା । ହେଲେ ଗୋଟିଏ ପଟେ ଦାରିଦ୍ର୍ୟ ଏବଂ ଅନ୍ୟପଟେ ଶାରିରୀକ ଭିନ୍ନକ୍ଷମତା । ଆଉ ସୁଶାନ୍ତଙ୍କ ସଂପର୍କରେ ଆମଠୁ ଜାଣିବା ପରେ ତାଙ୍କ ପାଖରେ ପହଂଚିଥିଲେ-ସେଦିନର ଅଭିନେତା ଓ ଆଜିର ରାଜନେତା ମୁନ୍ନା ଖାନ୍ । ଆଉ ସାଥିରେ ନେଇ ଆସିଥିଲେ ହସ ବଜାରରୁ କିଛି ଉପହାର ।

ଆମର ଏହି ଅଭିଯାନ ଜରିଆରେ ସୁଶାନ୍ତଙ୍କ ମୁହଁରେ ଫୁଟିଛି ହସ । ଆଉ ଏମିତି ଅନେକ ସୁଶାନ୍ତଙ୍କ ମୁହଁରେ ହସ ଫୁଟିବା ବାକି ରହିଛି ।