କନକ ବ୍ୟୁରୋ : ରାଜ୍ୟରେ ଗୁଟଖା ନିଷେଧାଦେଶକୁ ୭ ବର୍ଷ । ୨୦୧୩ ମସିହା ଜାନୁଆରି ୩ ତାରିଖରେ ରାଜ୍ୟ ସରକାର ଗୁଟଖା ଓ ନିକୋଟିନ୍ ଯୁକ୍ତ ପାନମସଲାକୁ ସ˚ପୂର୍ଣ୍ଣ ଭାବେ ନିଷେଧ ଘୋଷଣା କରିଥିଲେ। ହେଲେ ଧର୍ମକୁ ଆଖିଠାର ଭଳି ଏହା କେବଳ କାଗଜକଲମରେ ସୀମିତ ରହିଯାଇଛି। ଗୁଟଖା କମ୍ପାନିମାନେ ଆଇନର ଗଳାବାଟ ଦେଇ ପୂର୍ବଭଳି ଗୁଟଖା ବିକ୍ରି କରୁଛନ୍ତି। ସବୁକିଛି ଖୁଲମଖୁଲା ଚାଲିଥିଲେ ହେଁ, ଅଧିକାରୀମାନେ ହାତ ବାନ୍ଧି ବସିଛନ୍ତି। ଗୋଟିଏ ପଟେ ରାଜ୍ୟରେ ମୁଖଗହ୍ବର ଜନିତ କର୍କଟ ରୋଗ ବଢ଼ି ବଢ଼ି ଚାଲିଥିବା ବେଳେ ସରକାରଙ୍କ ତମାଖୁ ନିୟନ୍ତ୍ରଣ ଯୋଜନା ବିଫଳ ହୋଇଛି।

Advertisment

୨୦୧୩ ଜାନୁଆରି ୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟଖା ବିକ୍ରି ସହିତ ଉତ୍ପାଦନ, ବିତରଣ, ମହଜୁଦ ଓ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ଦେଶର ୨୫ତମ ରାଜ୍ୟ ଭାବେ ଓଡ଼ିଶା ଏଥିରେ ନିଜକୁ ସାମିଲ କରିଥିଲା। ଏହା ଭିତରେ ୬ବର୍ଷ ବିତି ଯାଇଥିଲେ ହେଁ, ରାଜ୍ୟରେ ଗୁଟଖାର ବିକ୍ରି ଓ ସେବନ ଉପରେ ରୋକ୍ ଲାଗିପାରି ନାହିଁ। ନିକୋଟିନଯୁକ୍ତ ଗୁଟଖା ରାଜ୍ୟରେ ନିଷେଧ ଘୋଷଣା କରାଯିବା ପରେ ଗୁଟଖା କମ୍ପାନିମାନେ ମଧ୍ୟ ଫନ୍ଦି ବାହାର କରିଛନ୍ତି। ଗୁଟଖା ଗୋଟିଏ ପ୍ୟାକେଟ୍ରେ ବିକ୍ରି ହେଉଥିବା ବେଳେ ନିକୋଟିନ୍ ଆଉ ଏକ ପ୍ୟାକେଟରେ ବିକ୍ରି ହେଉଛି।

ଗୁଟଖା ନିୟନ୍ତ୍ରଣ ପାଇଁ ସିଗାରେଟ୍ ଏଣ୍ଡ ଅଦର ଟୋବାକୋ ଆକ୍ଟ ବା କୋଟ୍ପା ରହିଛି। ଶିକ୍ଷାନୁଷ୍ଠାନର ୧୦୦ମିଟର ଦୂରଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ଜରିମାନା ଆଦାୟ କରିବାର ନିୟମ ରହିଛି। ଏହାସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍ଏସ୍ଏସ୍ଏଆଇ ଆଇନରେ ଗୁଟଖା ଓ ପାନ ମସଲା ବିକ୍ରିକୁ ବନ୍ଦ କରିବା ପାଇଁ ନିୟମ ରହିଛି। ମାତ୍ର ଏଫ୍ଏସ୍ଏସ୍ଏଆଇର ନିୟମରେ ଜର୍ଦା, ଖଇନି ଓ ମାୱା ମସଲା ଆସୁ ନ ଥିବାରୁ ଏହାର ଫାଇଦା ନେଉଛନ୍ତି ଗୁଟଖା କମ୍ପାନି। ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ଗୁଟଖାଜାତୀୟ ଦ୍ରବ୍ୟ ଉପରେ ଚଢ଼ଉ କରିପାରୁ ନାହାନ୍ତି। ଦୁଇଟି ଭିନ୍ନ ଭିନ୍ନ ପ୍ୟାକେଟରେ ନିକୋଟିନ୍ୟୁକ୍ତ ଗୁଟଖା ବିକ୍ରିକୁ ନିଷେଧ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୪ ଅନୁଯାୟୀ, ରାଜ୍ୟରେ ୧୭.୩ ପ୍ରତିଶତ ମହିଳା ଓ ୫୫.୩ ପ୍ରତିଶତ ପୁରୁଷ ତମାଖୁର ବ୍ୟବହାର କରୁଛନ୍ତି। ଏନ୍ଏଫ୍ଏଚ୍ଏସ୍-୩ରେ ୩୧.୪ ପ୍ରତିଶତ ମହିଳା ଓ ୬୮.୩ ପ୍ରତିଶତ ପୁରୁଷ ତମାଖୁ ବ୍ୟବହାର କରୁଥିଲେ। ଏନ୍ଏଫ୍ଏଚ୍ଏସ୍ ୩ ତୁଳନାରେ ଏନ୍ଏଫ୍ଏଚ୍ଏସର ୪ରେ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାର ୫୦ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ ପାଇଛି। ମାତ୍ର ରାଜ୍ୟରେ ପୂର୍ବଭଳି ଗୁଟଖା ଓ ତମାଖୁ ବିକ୍ରି ଜାରି ରହିଥିବାରୁ ତମାଖୁ ବ୍ୟବହାରରେ ହ୍ରାସକୁ ସାମଗ୍ରିକ ଭାବେ ପ୍ରଭାବିତ କରିପାରୁନାହିଁ।

ନିଶାମୁକ୍ତି ସ˚କଳ୍ପ ଅଭିଯାନର ସଦସ୍ୟ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କ କହିବାନୁଯାୟୀ, ରାଜ୍ୟରେ ଗୁଟଖା ନିଷେଧ ହେବାର କିଛିଦିନ ପାଇଁ ଏହା କାର୍ୟ୍ୟକାରୀ ହେଲା। ମାତ୍ର ପରବର୍ତୀ ସମୟରେ ଏହା ବିଫଳ ହୋଇଛି। ଯାହାଫଳରେ ଏବେ ବଜାରରେ ଗୁଟଖା ଖୁଲମଖୁଲା ବିକ୍ରି ହେଉଛି। ରାଜ୍ୟରେ କର୍କଟ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ମଧୢ ଏଥିରୁ ବର୍ଷକୁ କୋଟି କୋଟି ଟଙ୍କା ହରାଉଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ନିଷେଧ କରାଯାଇଥିଲା ତୃଣମୂଳସ୍ତରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ବିଦ୍ୟାଳୟର ୧୦୦ ମିଟର ଦୂରରେ ତମାଖୁର ବିକ୍ରିକୁ ରୋକିବା ଓ ବିଦ୍ୟାଳୟ ପରିସର ତମାଖୁମୁକ୍ତ କରିବା ନେଇ ବିଦ୍ୟାଳୟ କର୍ତୃପକ୍ଷମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାନ୍ତି।