ଫୁଟିଲାନି ବାଣ, କମିଲା ପ୍ରଦୂଷଣ । ବାଣ ଫୁଟାଇବା ଉପରେ ଅଙ୍କୁଶ ଯୋଗୁଁ ଦୀପାବଳିରେ ହ୍ରାସ ପାଇଲା ପ୍ରଦୂଷଣ ।

581

କନକ ବ୍ୟୁରୋ : ଦୀପାବଳିରେ ଫୁଟିଲାନି ବାଣ, ପ୍ରଦୂଷଣରୁ ବଞ୍ଚିଗଲା ଭୁବନେଶ୍ୱର । କରୋନାକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନଫୁଟାଇବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ରାଜଧାନୀବାସୀଙ୍କ ପାଇଁ ବରଦାନ ପାଲଟିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଭୂବନେଶ୍ୱର ବାୟୁମଣ୍ଡଳ ଅତି ପରିଷ୍କାର ଥିବା ବେଳେ ପ୍ରଦୂଷଣ ସୂଚକାଙ୍କରେ ସବୁଜ ସଂକେତ ଦେଖିବାକୁ ମିଳିଛି ।

ବାଣଫୁଟା ଉପରେ କଟକଣା ଯୋଗୁଁ ଏବର୍ଷ ହ୍ରାସ ପାଇଛି ରାଜଧାନୀ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରା । ପୂର୍ବ ବର୍ଷ ତୁଳନାରେ କମିଯାଇଛି ପ୍ରଦୂଷଣ । ଭୁବନେଶ୍ୱର ସ୍ମାର୍ଟ ସିଟି ପକ୍ଷରୁ ଲଗାଯାଇଥିବା ପ୍ରଦୂଷଣ ସୂଚନା ଫଳକରେ ଏପରି ତଥ୍ୟ ସାମନାକୁ ଆସିଛି ।

ନଜର ପକାନ୍ତୁ କିପରି କମିଛି ପ୍ରଦୂଷଣ ?
୨୦୧୮ ଦୀପାବଳି ରାତିରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାତ୍ରା ୩୬୯ ରେକର୍ଡ କରାଯାଇଥିଲା । ଯାହା ଥିଲା ଅତି ବିପଦପୂର୍ଣ୍ଣ । ସେହିବର୍ଷ ଦୀପାବଳି ପରଦିନ ସକାଳେ ବାୟୁ ପ୍ରଦୂଷଣ ମାତ୍ରା ରହିଥିଲା ୩୨୯ ।

କିନ୍ତୁ ଏବର୍ଷ ବଦଳିଛି ଚିତ୍ର । ୨୦୨୦ ଦୀପାବଳି ଅର୍ଥାତ ଶନିବାର ରାତିରେ ସେହି ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାତ୍ରା ୨୪୯ ରେକର୍ଡ କରାଯାଇଛି । ପରଦିନ ସକାଳେ ଅର୍ଥାତ୍ ରବିବାର ସକାଳେ ବାୟୁ ପ୍ରଦୂଷଣ ମାତ୍ରା ରହିଛି ୯୦ ।

କରୋନା ଯୋଗୁଁ ବାଣଫୁଟା ଉପରେ କଟକଣା ଲଗାଯାଇଥିବାରୁ ଦୀପାବଳିରେ ପ୍ରଦୂଷଣ ମାତ୍ରା କମିଛି । ଏହାସତ୍ୱେ ଦୀପାବଳି ରାତିରେ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ୨୦୦ରୁ ୨୫୦ ମଧ୍ୟରେ ରହିବା ମଧ୍ୟ ଚିନ୍ତାଜନକ ବୋଲି କହିଛନ୍ତି ପରିବେଶବିତ୍ । କାରଣ ଏହା ପ୍ରଦୂଷଣ ମାପକରେ ପର୍ପଲ ବା ବାଇଗଣୀ ଜୋନରେ ରହିଛି । ଏହା ମଧ୍ୟ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ।