ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବନି ମଦ ଉତ୍ପାଦନ ଓ ବିକ୍ରି । ହାଇକୋର୍ଟରେ ସରକାରଙ୍କ ଦାଖଲ କରିଥିବା ସତ୍ୟପାଠରୁ ମିଳିଲା ତଥ୍ୟ

ହାର୍ଡରୁ ଦୂରେଇ ବିଅର ଓ ୱାଇନ ପିଇବାକୁ ନୂଆ ଅବକାରୀ ନୀତିରେ ଆଣିଛନ୍ତି ବ୍ୟବସ୍ଥା । ମଦ ବ୍ୟାନ ବିରୋଧରେ ରଖିଲେ ଯୁକ୍ତି ।

142

କନକ ବ୍ୟୁରୋ : ମଦ ବ୍ୟାନ କରିବା ପାଇଁ ହାଇକୋର୍ଟରେ ଦାୟର ଏକ ପିଟିସନର ଶୁଣାଣି ବେଳେ ସତ୍ୟାପାଠ ଜରିଆରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ଶୁଣାଣିବେଳେ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ମଦ ଉତ୍ପାଦନ ଓ ବିକ୍ରୀ ବନ୍ଦ କରାଗଲେ ଲୋକଙ୍କଠାରୁ ମଦକୁ ଦୂରେଇ ରଖିପାରିବେ ନାହିଁ । ମଦବ୍ୟାନ ହେଲେ ଡ୍ରଗ୍ସ ଭଳି ନିଶାଦ୍ରବ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢିବ ।

ମଦବ୍ୟାନ ଦ୍ୱାରା ପର୍ଯ୍ୟଟନ ଓ ଅର୍ଥନୀତି ପ୍ରଭାବିତ ହେବ । କିଛି ରାଜ୍ୟରେ ମଦ ଉତ୍ପାଦନ ଓ ବିକ୍ରି ସଂପୂର୍ଣ୍ଣ ବନ୍ଦ ଥିଲେ ବି ସୁଫଳ ମିଳିନାହିଁ । ଗୁଜରାଟରେ ମଦ ଉତ୍ପାଦନ ଓ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ଥିଲେ ବି ରାଜ୍ୟ ମଦମୁକ୍ତ ହୋଇନାହିଁ । ବିହାର ମଦମୁକ୍ତ ହେବାକୁ ଘୋଷଣା କରିଥିଲେ ବି ଏହାର ସୁଫଳ ମିଳିନାହିଁ । ମହାରାଷ୍ଟ୍ର ତୁଳନାରେ ବିହାରରେ ମଦ ବ୍ୟବହାର ଅଧିକ ହୋଇଛି । ମଦ ବ୍ୟାନ କରିଦେଲେ ଲୋକଙ୍କ ମଦ ବ୍ୟବହାରକୁ ସଂପୂର୍ଣ୍ଣ ରୋକାଯାଇପାରିବନି ।

ଲୋକଙ୍କଠାରୁ ମଦ ଅଭ୍ୟାସ ଦୂର କରିବାକୁ ସରକାର ଧିରେ ଧିରେ ପଦକ୍ଷେପ ନେଉଛନ୍ତି । ରାଜ୍ୟର ଅବକାରୀ ନୀତି କିଛି ଏଭଳି ଢଙ୍ଗରେ ତିଆରି କରାଯାଉଛି । ଲୋକଙ୍କ ହାର୍ଡଲିକରଠାରୁ ଦୂରେବା ପାଇଁ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସରକାର ଆହୁରି କହୁଛନ୍ତି,ଲୋକଙ୍କୁ ବିଅର ଓ ୱାଇନ ପ୍ରତି ଆକୃଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ହାର୍ଡଲିକର ଉପରେ ଅଧିକ ଟିକସ ଲଗାଇ ଦର ବଢାଇବାର ବ୍ୟବସ୍ଥା ହୋଇଛି । ଏହାସହ ମଦ ବ୍ୟାନ ପାଇଁ ଦାଖଲ ପିଟିସନକୁ ଖାରଜ କରିବାକୁ ସରକାର ରଖିଲେ ହାଇକୋର୍ଟରେ ଯୁକ୍ତି ରଖିଛନ୍ତି ।