କରୋନା ବଢାଇଲା ବାଉଁଶ କାରିଗରଙ୍କ ସମସ୍ୟା । ମାନ୍ଦା ପଡିଲା ବେପାର, ପରିବାର ଚଳାଇବା ହେଲାଣି କଷ୍ଟ ।

143

କନକ ବ୍ୟୁରୋ: କରୋନା ଯୋଗୁଁ ସଙ୍କଟରେ ବାଉଁଶ କାରିଗର । ବାପ ଅଜା ଅମଳର ବୃତ୍ତି ଏବେ ସଙ୍କଟରେ । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ କଲଣ ଗାଁର ବାଉଁଶ କାରିଗରଙ୍କ କଥା । ରସୁଲପୁର ବ୍ଲକ କଲଣ ଗାଁରେ ପାଖାପାଖି ୪୦ଟି ପରିବାର ପୁରୁଷାନୁକ୍ରମେ ବାଉଁଶ କାରିଗର କାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି ।

ଦିନ ଥିଲା ଏହି ଗାଁର କାରିଗରମାନେ ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଆରାମରେ ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଗତବର୍ଷ କରୋନା କଟକଣାଠାରୁ ଏମାନଙ୍କର ବ୍ୟବସାୟ ଏକ ପ୍ରକାର ସଙ୍କଟରେ ରହିଛି । ଯାହାକୁ ନେଇ ସେମାନେ ଏବେ ଆର୍ଥିକ କ୍ଷତି ସହିବା ସାଙ୍ଗକୁ ପରିବାର ଚଳାଇବାରେ ସକ୍ଷମ ହେଉନଥିବା କହିଛନ୍ତି ।

ଏହି କାରିଗରମାନେ ବାଉଁଶ ସଂଗ୍ରହ କରି ତାକୁ ଚିରି ଛୋଟ,ଛୋଟ କରି ବିଭିନ୍ନ ସାଇଜର ପାତିଆ ପ୍ରସ୍ତୁତ କରନ୍ତି । ପରେ ସେଥିରେ ରଙ୍ଗ ଦେଇ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏମାନଙ୍କ ହାତ ତିଆରି ବାଉଁଶ ସାମଗ୍ରୀ ଯଥା ଡାଲା, କୁଲା, ନାଳିଆ, ଟୋକେଇ ଆଦିର ବେଶ୍ ଚାହିଦା ରହିଥିଲା । ମାତ୍ର ସମୟ କ୍ରମେ ପ୍ଲାଷ୍ଟିକର ଚାହିଦା ବଢିବାରୁ ଏମାନଙ୍କର ବ୍ୟବସାୟରେ ମାନ୍ଦା ଅବସ୍ଥା ଦେଖାଦେଇଥିବା ବେଳେ କରୋନା କଟକଣା ଏମାନଙ୍କ ବ୍ୟବସାୟରେ ଏକ ପ୍ରକାର ରୋକ୍ ଲଗାଇ ଦେଇଛି ।

ଜିଲ୍ଳା ଶିଳ୍ପ କେନ୍ଦ୍ର ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ପ୍ରମୋସନ କରୁଥିବା ବେଳେ ଏମାନଙ୍କୁ ସହାୟତା ଯୋଗାଇଦେଲେ କରୋନା କଟକଣା ଭିତରେ ଏମାନେ ନିଜକୁ ଅଧିକ ସ୍ୱାବଲମ୍ବୀ କରିପାରନ୍ତେ । ଦୀର୍ଘବର୍ଷ ହେବ ବାଉଁଶ କାରିଗରି କାମ କରି ସ୍ୱାବଲମ୍ବୀ ହୋଇଆସିଥିବା କଲଣ ଗାଁର କାରିଗରମାନଙ୍କୁ ଆର୍ଥିକ ପୋତ୍ସାହନର ଆବଶ୍ୟକତା ରହିଛି ।