ବାଉଁଶ କାରିଗରୀ ଦେଇଛି ରୋଜଗାର । ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମୀଣ ମହିଳା

105

କନକ ବ୍ୟୁରୋ : ରୋଜଗାର ଦେଉଛି ବାଉଁଶ କାରିଗରୀ । ଯାଜପୁର ରସୁଲପୁର ବ୍ଲକ ଗୋପାଳପୁର ଗାଁର ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ବାଉଁଶରେ ବିଭିନ୍ନ ପ୍ରକାରର ସାମଗ୍ରୀ । ଦିନେ ଏମାନେ ଘର କୋଣରେ ବସି ରହୁଥିଲେ । ଆଉ ଏବେ କିନ୍ତୁ ବାଉଁଶ କାରିଗରୀ ଦେଇଛି ସ୍ୱତନ୍ତ୍ର ପରିଚୟ । ବାଉଁଶକୁ ପାତିଆ କରି ସେଥିରୁ ଭଳିକି ଭଳି ଘରକରଣା ସାମଗ୍ରୀ ଯଥା -ଫୁଲଦାନୀ, ପେନ ଷ୍ଟାଣ୍ଡ, ମୟୁର, କପ୍ ଏମିତି ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ଜିଲ୍ଳା ଶିଳ୍ପକେନ୍ଦ୍ର ସହାୟତାରେ ବ୍ୟାଙ୍କରୁ ରୂଣ ଆଣି ବାଉଁଶ କିଣି ସେଥିରୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପାଖାପାଖି ୧୩୫ ଜଣ ମହିଳା ଏହି ବାଉଁଶ କାରିଗରି କାମ କରି ବେଶ୍ ରୋଜଗାରକ୍ଷମ ହୋଇପାରିଛନ୍ତି ।

୨୦୦୭ ମସିହାରୁ ଏହି ଗାଁର ମହିଳାମାନେ ବାଉଁଶ ଓ ବାଉଁଶର ମୂଳ, ଅଦରକାରି ନଡିଆ ସଢେଇକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପ୍ରଶିକ୍ଷଣ ସହିତ ବିଭିନ୍ନ ମେଳା ମହୋତ୍ସବରେ କିପରି ଏହି ସାମଗ୍ରୀର ବିକ୍ରି ହୋଇପାରିବ ସେଥିପାଇଁ ସହଯୋଗର ହାତ ବଢାଇଛି ଜିଲ୍ଳା ଶିଳ୍ପକେନ୍ଦ୍ର । ଏହି ମହିଳାମାନେ ବାଉଁଶରେ ସାମଗ୍ରୀ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହିତ ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ।

ଖାଲି ମହିଳା ମାନେ ନୁହେଁ ପୁରୁଷ କାରିଗର ମାନେ ମଧ୍ୟ ଏହି ବୃତିକୁ ଅପଣାଇଛନ୍ତି । କାରିଗର ମାନଙ୍କ ହାତରେ ତିଆରି ହୋଇଥିବା ସୁନ୍ଦର ସୁନ୍ଦର କଳାକୃତି ବଜାରରେ ମଧ୍ୟ ବେଶ ଅଦୃତ ଲାଭ କରୁଛି । ଗାଁ ମହିଳାମାନେ ସ୍ୱାବଲମ୍ବୀ ହେବାପାଇଁ ଆପଣାଇଥିବା ଏହି ବାଉଁଶ କାରିଗରି କାମ ଏବେ ଅନ୍ୟମହିଳାମାନଙ୍କ ପାଇଁ ପାଲଟିଛି ଉଦାହରଣ ।