ବୁଢାବଳଙ୍ଗ ନଦୀ ପାର ହେବା ପାଇଁ ଲୋକଙ୍କ ସାହାରା ସାଜିଛି ବାଉଁଶ ଭେଳା :  ବାଙ୍ଗୀରିପାଷି ସୋରିଷପାଳ ଗାଁ ନିକଟ  ରେସୁଣ ଘାଟରୁ ଆସିଛି ଏମିତି ଚିତ୍ର;  ୮ ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

220

କନକ ବ୍ୟୁରୋ : ସ୍ୱାଧୀନତାର ୭୪ ବର୍ଷ ପରେ ବି ଅନେକ ଅଂଚଳରେ ପରାଧିନ ଲୋକେ । ନଦୀ ପାର ହେବା ପାଇଁ ଲୋକଙ୍କ ସାହାରା ସାଜିଛି ବାଉଁଶ ଭେଳା । ଦିନେ ଦୁଇ ଦିନ କି ମାସେ ୨ମାସ ନୁହଁ, ବର୍ଷବର୍ଷ ଧରି ଶତାଧିକ ଲୋକ ଏଭଳି ବିପଦ ଶଙ୍କୁଳ ଅବସ୍ତାରେ ନଦୀ ପାର ହେଉଛନ୍ତି । ଏ ଭୟଙ୍କର ଦୃଶ୍ୟ ହେଉଛି ଆଦିବାସୀ ଅଧୁସିତ ମୟୂରବଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ସୋରିଷପାଳ ଗାଁ ନିକଟ  ବୁଢ଼ାବଳଙ୍ଗ ନଦୀ ରେସୁଣ ଘାଟର ।

ଦୀର୍ଘ ୮ ବର୍ଷ ହେବ ଏଠାରେ ଏମିତି ବାଉଁଶ ଭେଳା ସାହାଯ୍ୟରେ ଲୋକେ ନଦୀ ଏପାରିରୁ ସେପାରିକୁ ଯିବା ଆସିବା କରିଥାନ୍ତି । ୬ ଟି ଟିୟୁଭ୍ ଉପରେ ବନ୍ଧା ହୋଇଛି କିଛି ବାଉଁଶ ବତା ଏବଂ ନଦୀର ଦୁଇ ମୁଣ୍ଡରେ ପୋତା ହୋଇଛି ଦୁଇଟି ଲେଖାଏଁ ଖୁଂଟି । ଆଉ ଏ ଖୁଂଟିରୁ ସେ ଖୁଂଟିକୁ ବନ୍ଧା ହୋଇଛି ଏକ ଦଉଡି । ଏହି ଦଉଡିକୁ ଧରି ବାଉଁଶ ଭେଳା ଉପରେ ବସି ବୁଢାବଳଙ୍ଗ ନଦୀ ପାରି ହେଉଛନ୍ତି ସ୍ଥାନୀୟ ଲୋକେ । ଥରକେ ୫ ରୁ ୬ଜଣ ଲୋକ, ସାଇକେଲ ଏବଂ ମୋଟରସାଇକେଲ୍ ଏହି ଭେଳାରେ  ନଦୀ ପାରହେବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍କୁଲ ପିଲା ଠାରୁ ବୃଦ୍ଧ, ମହିଳା ଏବଂ ରୋଗୀ ସମସ୍ତେ  ପାଣି ପାରି ହୋଇଥାନ୍ତି । ତେବେ ସୋରିଷପାଳ ଗାଁର ଆଖପାଖରେ କୌଣସି ପୋଲର ସୁବିଧା ନଥିବାରୁ ଲୋକେ ବାଧ୍ୟହୋଇ ଏମିତି ବିପଦ ଶଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପାଣି ପାରି ହୋଇଥାନ୍ତି ।