ରାଜଧାନୀରେ ବାଉଁଶରାଣୀ ! ପେଟ ପାଇଁ ରାଜରାସ୍ତାରେ ବାଜି ଲାଗୁଛି ଜୀବନ, କୁନି ଝିଅ ମୁଣ୍ଡରେ ପରିବାର ବୋଝ ।

44

କନକ ବ୍ୟୁରୋ : ରାଜଧାନୀର ବାଉଁଶରାଣୀ । ଯିଏ ପେଟ ପାଟଣା ପାଇଁ ଦେଖାଉଛି ଖେଳ । ଇଏ ଏମିତି ଏକ ଖେଳ ଯାହା ଅନ୍ୟମାନଙ୍କ ପାଇଁ ମନୋରଂଜନ, ହେଲେ ଖେଳାଳିଙ୍କ ପାଇଁ ବାସ୍ତବରେ ଜୀବନ ମରଣର ଖେଳ । ଦି ଖଣ୍ଡ ବାଉଁଶ ଓ ଖଣ୍ଡିଏ ଦଉଡିରେ ଚାଲିଛି ସାହସିକତାର ଖେଳ ।

ଦିଖଣ୍ଡ ବାଉଁଶ ଖଣ୍ଡିଏ ଦଉଡି । ଆଉ ତା ଉପରେ ଚାଲିଛି ଖେଳ । ହାତରେ ବାଉଁଶ ମୁଣ୍ଡରେ କଳସ ଧରି ଆଗକୁ ବଢୁଛି କଅଁଳ ପାଦ । ଟିକେ ଏପଟ ସେପଟ ହେଲେ କଥା ସରିଲା । ତଥାପି ଜୀବନକୁ ପାଣି ଛଡାଇ ଖେଳ ଦେଖାଉଛି କଅଁଳ ଝିଅଟି । ପେଟ ପାଇଁ ପିଢି ପରେ ପିଢି ଧରି ଚାଲିଛି ଖେଳ । ଲୋକଙ୍କ ପାଇଁ ମନୋରଂଜନ ହେଲେ ତାଙ୍କ ପାଇଁ ପେଟପାଟଣା । ଖେଳର ନାଁ – ଖେଲ କା ତମାସା ।

ରାଜଧାନୀବାସୀଙ୍କୁ ମନୋରଂଜନ କରୁଥିବା ଏହି ପରିବାର ଆସିଛନ୍ତି ପଡୋଶୀ ଛତିଶଗଡରୁ । ଦିନ ତମାମ ଖେଳ ଦେଖାଇଲେ ମିଳେ ୪ଶହରୁ ୫ ଶହ ଟଙ୍କା । ଆଉ ସେତକରେ ଚଳେ ୫ ଜଣିଆ ପରିବାର । କିଏ ଟଙ୍କା ଦିଏ, କିଏ ଦିଏନି । ହେଲେ ଖେଳ ବନ୍ଦ ହୁଏନି । ଇଏ ଏମିତି ଏକ ଖେଳ ଯାହା, ଦେଖିବା ଲୋକଙ୍କୁ ମନୋରଂଜନ୍ କରାଏ ଆଉ ବେଳେ ବେଳେ ଡରାଏ ବି, ହେଲେ ଦଉଡି ଉପରେ ଅଦମ୍ୟ ସାହସ ଦେଖାଉଥିବା କଅଁଳ ଝିଅଟି ପାଇଁ ଏହା ଏକ ଖେଳ ମାତ୍ର । ଯେଉଁଥିପାଇଁ ତାକୁ ଟଙ୍କା ମିଳେ ଆଉ ଦର୍ଶକଙ୍କ ତାଳି ବି ।