ନଡିଆ କତାରେ ତିଆରି ହେଉଛି ଘରକରଣା ସାମଗ୍ରୀ । ସାକ୍ଷୀଗୋପାଳରୁ କଞ୍ଚାମାଲ ନେଇ କତା ପାପୋଛ ବୁଣୁଛନ୍ତି ଜଳେଶ୍ୱର ଅଞ୍ଚଳର ମହିଳା

85

କନକ ବ୍ୟୁରୋ: ନଡ଼ିଆ କତାରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ବିଶେଷକରି ପାପୋଛ, ମ୍ୟାଟ୍, କତା କଣ୍ଢେଇ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ପୁରୀ ସାକ୍ଷୀଗୋପାଳ ଅଞ୍ଚଞ୍ଚଳରୁ ନଡ଼ିଆ କତା କିଣି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହି କାମ ଦ୍ୱାରା ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱର ଭୋଗରାଇ ଅଞ୍ଚଳର ୨୦୦ରୁ ଅଧିକ ମହିଳା । ଏଥିପାଇଁ ମହିଳା ମାନେ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ୬ ମାସିଆ ତାଲିମ ନେଇଛନ୍ତି । ଏହାପରେ ୩ ବର୍ଷ ହେଲା ଏହି କାମ କରୁଛନ୍ତି । ଘର କାମ ସାରିବା ପରେ ମହିଳା ମାନେ ଏହି କାମ କରିବା ପାଇଁ ଏକାଠି ହୁଅନ୍ତି । ପ୍ରଥମେ ନଡ଼ିଆ କତାକୁ ଶୁଖାଇ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ସେଥିରୁ ଗୃହ ଉପକରଣ ପ୍ରସ୍ତୁତ କରନ୍ତି ।

ନିଜ ରୋଜଗାର ପାଇଁ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ ନିଜେ ଆତ୍ମନିର୍ଭର ହୋଇଛନ୍ତି ମହିଳା । କତାରେ ତିଆରି ସାମଗ୍ରୀର ଚାହିଦା ବଢ଼ୁଥିବାରୁ ବିକ୍ରିବଟାରେ ମଧ୍ୟ କୌଣସି ଅସୁବିଧା ହେଉନାହିଁ । ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ନିକଟସ୍ଥ ପଶ୍ଚିମବଙ୍ଗ ବଜାରରେ ଏହି ସବୁ ସାମଗ୍ରୀ ବିକ୍ରି କରିବା ସହ ଆଖପାଖରେ ଅନୁଷ୍ଠିତ ହେଉଥିବା ଛୋଟ ଛୋଟ ମେଳା ମହୋତ୍ସବରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି । ମହିଳା ମାନେ ପ୍ରସ୍ତୁତ କରୁଥିବା ଏହି ସବୁ ସାମଗ୍ରୀ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହକଙ୍କୁ ମଧ୍ୟ ବେଶ ଆକୃଷ୍ଟ କରୁଛି ।

ନଡ଼ିଆ କତାରୁ ଏଭଳି ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।