ବାଉଁଶ କାରିଗରଙ୍କୁ କାଳ ହେଳା କରୋନା । କଟକଣା ଭିତରେ ଗାଁ ଗାଁ ବୁଲି ବେପାର କରିପାରୁନାହାନ୍ତି ନିଆଳିର ବାଉଁଶ କାରିଗର, କାନ୍ଥରେ ଟଙ୍ଗା କ୍ୟାଲେଣ୍ଡର ଦେଖି ଗଣୁଛନ୍ତି ଦିନ ।

404

କନକ ବ୍ୟୁରୋ : ଦିନରାତି ପରିଶ୍ରମ କରି ବାଉଁଶରୁ ତିଆରି କରୁଛନ୍ତି ହେଲେ ତାଲାବନ୍ଦ ପାଇଁ ବାଉଁଶ ତିଆରି ସାମଗ୍ରୀ ବିକ୍ରି ହେଉନଥିବାରୁ ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ବାଉଁଶ କାରିଗର ।

କାନ୍ଥରେ ଟଙ୍ଗା ହୋଇଛି କ୍ୟାଲେଣ୍ଡର, ଦିନ ଗଣୁଛି ବାଉଁଶ ପାତିଆ କାରିଗର । ଦିନେ ନୁହେଁ କି ଦୁଇଦିନ ନୁହେଁ ୫ମାସ ହେଲା କ୍ୟାଲେଣ୍ଡରରେ ତାରିଖକୁ ଗୋଲ ବୁଲେଇ ଦିନ ଗଣୁଛନ୍ତି ୫୦ ବାଉଁଶ ପାତିଆ ପରିବାର । ଟୋକେଇ, ଝୁଡି, କୁଲା ବାଉଁଶିଆ ଆଦି ସାମଗ୍ରୀ ତିଆରି କରି ପେଟପାଟଣା କରନ୍ତି ଏହି ବାଉଁଶ ପାତିଆ କାରିଗର । ହେଲେ ମହାମାରୀ କରୋନା ଯୋଗୁଁ ଏବେ ବଜାର ହାଟ ବନ୍ଦ ରହିଛି, ବିକ୍ରି ବଟା ନାହିଁ । ତେଣୁ ନଷ୍ଟ ହେଉଛି ହଜାର ହଜାର ଟଙ୍କାର ବାଉଁଶ ତିଆରି ସାମଗ୍ରୀ ।

କୂଳ ବେଉସାକୁ ଆଦରି ପରିବାର ପୋଷନ୍ତି କଟକ ନିଆଳି ବ୍ଲକ ପାରିବସ୍ତ ଗାଁର ବାଉଁଶ କାରିଗର । ବୁଦାରୁ ବାଉଁଶ କାଟି, ତାକୁ ଫଟେଇ ପତଳା ପତଳା ପାତିଆ ପ୍ରସ୍ତୁତ କରାଯାଏ । ଆଉ ସେହି ବାଉଁଶ ପାତିଆକୁ ବ୍ୟବହାର କରି ଘରକରଣା ସାମଗ୍ରୀ ପ୍ରସ୍ତୁତ କରନ୍ତି କାରିଗର । ପରେ ଗାଁ ଗାଁ ବୁଲି ବାଉଁଶରେ ପ୍ରସ୍ତୁତ ଟୋକେଇ, ଝୁଡି, କୁଲା ବାଉଁଶିଆ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି କାରିଗର । ହେଲେ ବର୍ତମାନ ପରିସ୍ଥିତିରେ ବଜାର କି ଗାଁ ବୁଲି ଜିନିଷ ବିକ୍ରି କରିବା ସମ୍ଭବ ହୋଇପାରୁନାହିଁ । ତେଣୁ ଘରେ ପଡିରହିଛି କାରିଗରଙ୍କ ପରିଶ୍ରମ ।

କରୋନା କଟକଣା ଯୋଗୁଁ ସାମଗ୍ରୀ ବିକ୍ରି ପାଇଁ ଯାଇ ପାରୁନି କି କାରିଗର ବାଉଁଶ କାଟିବାକୁ ଯାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଟଙ୍କା ଆସିବ କେଉଁଠୁ ଆଉ ପରିବାର ଚଳିବ କେମିତି । ଏମିତି କିଛି ଚିନ୍ତାରେ ଘାରି ହେଉଥିବା କାରିଗର ପ୍ରତିଦିନ ଗାଁ ମଝିରେ ଥିବା କ୍ୟାଲେଣ୍ଡରରେ ଗୋଲ ବୁଲାଇ ଭଲ ଦିନକୁ ଅପେକ୍ଷା କରିଛନ୍ତି ।