ପରିଚୟ ଦେଇଛି ବାଉଁଶ କାରିଗରି । କୁଲା, ଟୋକେଇ, ବିଂଚଣା ଭଳି ଘରକରଣା ସମଗ୍ରୀ ତିଆରି କରୁଛନ୍ତି ଗଂଜାମ ଆସିକା ଅଂଚଳର କାରିଗର
କନକ ବ୍ୟୁରୋ : ଯୁଗ ବଦଳିବା ସହ ଲୋକଙ୍କ ଚାହିଦା ବି ବଦଳୁଛି । ଲୋକଙ୍କ ଚାହିଦା ମୁତାବକ ଅନେକ ସୌଖିନ୍ ସାମଗ୍ରୀ ବଜାରକୁ ଆସୁଛି । ଆଉ ଏଥିପାଇଁ ଲୋପ ପାଇବାକୁ ବସିଲାଣି ବାଉଁଶରେ ତିଆରି ସାମଗ୍ରୀ । ଏହି ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା କାରିଗର ମାନେ ଦୁର୍ଦିନରେ କାଳ କାଟୁଛନ୍ତି । ଗଂଜାମ ଆସିକା ବ୍ଳକର ନୂଆଗାଁ, ଧରାକୋଟ୍ ବ୍ଲକର ମାଣିକ୍ୟପୁର, ସାଆବା ଭଳି ଗାଁର ଅନେକ ଲୋକ ବାଉଁଶରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ତିଆରି କରନ୍ତି । କୁଲା, କୁଣ୍ଡି, ତାଟ, ବଂଚଣା, ଟୋକେଇ ଓ ତଲାରି ଭଳି ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ପୂର୍ବରୁ ଏହି ସବୁ ସାମଗ୍ରୀ ଏତେ ଚାହିଦା ଥିଲା ଯେ ଲୋକମାନେ ଅର୍ଡର ଦେଇ କିଣି ନେଉଥିଲେ । କିନ୍ତୁ ବର୍ତମାନ ସମୟରେ ସରକାରୀ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ଚାହିଦା କମିବାକୁ ଲାଗିଲାଣି । ପରିଶ୍ରମ ଅନୁସାରେ ରୋଜଗାର ନହେବାରୁ ସଙ୍କଟରେ ଦିନ କାଟୁଛନ୍ତି ବାଉଁଶ କାରିଗର ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ କୁଲା କିମ୍ବା ବଡ ଟୋକେଇ କରିବା ପାଇଁ ଦୁଇ ଦିନ ସମୟ ଲାଗୁଥିବା ବେଳେ ମାତ୍ର ୧୫୦ ଟଙ୍କାରେ ବିକ୍ରି ହେଉଛି । । ପୁଣି ବାଉଁଶର ଦାମ ଅଧିକ ରହିଥିବା ବେଳେ ତାହା ବି ଏବେ ଠିକରେ ମିଳୁ ନାହିଁ । ଏପଟେ ଅତ୍ୟାଧିକ ପ୍ଳାଷ୍ଟିକର ବ୍ୟବହାର ଯୋଗୁ ଲୋକେ ବାଉଁଶ ତିଆରି ସାମଗ୍ରିରୁ ମୁହଁ ଫେରାଇ ନେଲେଣି । ଅନ୍ୟ କିଛି କାମଧନନ୍ଦା ମିଳୁ ନଥିବାରୁ ଲାଭ ନହେଲେ ବି ପିଢି ପରେ ପିଢି ବାଉଁଶରୁ ବିଭିନ୍ନ ସାମଗ୍ରି ତିଆରି କୁଳ ବେଉସାକୁ ବଂଚାଇ ରଖିଛନ୍ତି ।
ସରକାରୀ ପ୍ରୋତ୍ସାହନ ଏମାନଙ୍କ ପାଇ ସାତ ସପନ ଥିବା ବେଳେ କଂଚା ମାଲ୍ ଅଭାବ ଏହି କୌଳିକ ବୃତି ଉପରେ ସିଧାସଳଖ ପ୍ରଭାବ ପକାଉଛି । ବେଉସା ବଂଚାଇବା ପାଇଁ ବାଉଁଶର ଅଭାବ ସହ ଅର୍ଥ ବାଧକ ସାଜିଛି । ଫଳରେ ଅର୍ଥ ଅଭାବରେ ପଡି ଆନେକ ପରିବାର ଦୁର୍ବିସହ ହୋଇପଡିଲେଣି ।