ବାଉଁଶ ଓ ବେତରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ସାମଗ୍ରୀ । ଘର କାମ ସହ ବାଉଁଶରେ ବିଭିନ୍ନ ଘରକରଣା ଜିନିଷ ତିଆରି କରୁଛନ୍ତି ମହିଳା ।

145

କନକ ବ୍ୟୁରୋ : ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି କଟକ ଜିଲ୍ଲା ବାଙ୍କି ତାଳବସ୍ତ ଅଞ୍ଚଳର ମହିଳା ଓ ପୁରୁଷ । ବାଉଁଶ ପାତିଆରେ ତିଆରି ହେଉଥିବା ଘରୋଇ ଉପକରଣ ସହ ନିଖୁଣ କାରୁକାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଠ କରୁଛି । ପାଖାପାଖି ୧୫ରୁ ୨୦ କୁଶଳୀ କାରିଗର ବାଉଁଶ ଓ ବେତରୁ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ସାମଗ୍ରୀ । କୁଟୀର ଶିଳ୍ପ ପାଇଁ ସ୍ୱତନ୍ତ୍ର ପରିଚୟ ପାଲିଟିଥିବା ତାଳବସ୍ତ ଗାଁର କାରିଗରଙ୍କ କଳାକୃତି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଅନ୍ୟପଟେ କଂଚା ମାଲର ଦରଦାମ ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି କାରିଗର ।

ବୁଡିବାକୁ ବସିଲାଣି ବାଉଁଶ ବ୍ୟବସାୟ । ସାହାଯ୍ୟ ଅପେକ୍ଷାରେ ବ୍ୟବସାୟୀ । ଚେୟାର, ଟେବୁଲ, ବ୍ୟାଗ, ମୋବାଇଲ ଷ୍ଟାଣ୍ଡ, ବେଡଲାଇଟ, ପେନ୍ ଷ୍ଟାଣ୍ଡ, ହ୍ୟାଣ୍ଡବ୍ୟାଗ, ଆସନ, ଅଳଙ୍କାର, ଘରୋଇ ଉପକରଣ । ବାଉଁଶ ପାତିରେ ତିଆରି ହେଉଛି ଭଳିକି ଭଳି ସୁନ୍ଦର କାରୁକାର୍ଯ୍ୟରେ ଆର୍କଷଣୀୟ ସାମଗ୍ରୀ । ମନମୋହୁଛି ନିଖୁଣ କାରୁକାର୍ଯ୍ୟର ସାମଗ୍ରୀ । ବାଉଁଶ ପାତିରେ ପାଖାପାଖି ୫୦ ପ୍ରକାରର ଘରୋଇ ଉପକରଣ ତିଆରି କରୁଛନ୍ତି ବାଙ୍କୀ ତାଳବସ୍ତ ଅଂଚଳର ଏକାଦଶୀ ବାରିକ । ନିଜେ ସ୍ୱାବଲମ୍ବୀ ହେବା ସହ ଆଖପାଖ ଅଂଚଳର ଯୁବକ ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ।

ଘର କାମରୁ ସମୟ ବାହାର କରି ପତ୍ନୀ ସୁଲୋଚନା ବାରିକ ସ୍ୱାମୀ ଏକାଦଶୀ ବାରିକଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏମାନଙ୍କ ସହ ପାଖାପାଖି ୧୫ରୁ ୨୦ କୁଶଳୀ କାରିଗର ବାଉଁଶ ଓ ବେତରୁ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ସାମଗ୍ରୀ । କୁଟୀର ଶିଳ୍ପ ପାଇଁ ସ୍ୱତନ୍ତ୍ର ପରିଚୟ ପାଲିଟିଥିବା ଏହି ତାଳବସ୍ତ ଗାଁର କାରିଗର ମାନେ ଅଭାବ ଅନଟନ ଭିତରେ କଳାକୁ ବଂଚାଇ ରଖିଛନ୍ତି ।

ଗାଁ ଗହଳିରେ ପୂର୍ବରୁ କଂଚାମାଲ ସୁଲଭ ଦରରେ ମିଳୁଥିବାବେଳେ ବର୍ତମାନ ଦରଦାମ ବୃଦ୍ଧି ବ୍ୟବସାୟ ପାଇଁ ବାଧକ ସାଜିଛି । ଆସାମ ଦେଇ ପଶ୍ଚିମବଙ୍ଗରୁ ଆସୁଥିବା ବେତ ବାଉଁଶର ବର୍ଦ୍ଧିତ ଦରକୁ ନେଇ କଂଚାମାଲ କିଣିବା ବ୍ୟବସାୟଙ୍କ ପାଇଁ କଷ୍ଟକର ହୋଇପଡିଛି । ଅନ୍ୟପଟେ କିଛି ନିଦ୍ଧିଷ୍ଟ ମେଳାରେ ହିଁ ସାମଗ୍ରୀ ଗୁଡିକର ବିକ୍ରି ହେଉଛି ଅନ୍ୟ ସମୟରେ ହାତବାନ୍ଧି ବସୁଛନ୍ତି କାରିଗର । ଗୋଟେ ପଟେ କଞ୍ଚାମାଲ ଅଭାବ ଅନ୍ୟପଟେ ଅଭାବୀ ବିକ୍ରି କାରିଗରଙ୍କ ପାଇଁ ବଡ ସମସ୍ୟା ଆଣିଛି । ସରକାରଙ୍କ ତରଫରୁ ଯଦି କାରିଗରଙ୍କୁ ଉନ୍ନତମାନର ତାଲିମ ପ୍ରଦାନ ସହ ବିକ୍ରି ବ୍ୟବସ୍ଥା ହୁଅନ୍ତା ତେବେ କାରିଗରଙ୍କ ଭବିଷ୍ୟତ ସୁରକ୍ଷିତ ଓ କଳାକୁ ବଂଚାଇ ରଖି ହୁଅନ୍ତା ବୋଲି ଏକାଦଶୀ ବାରିକ କହିଛନ୍ତି । ସରକାରଙ୍କୁ ସାହାଯ୍ୟ ଓ ସହଯୋଗ ପାଇଁ ନିବେଦନ କରିଛନ୍ତି କୁଶଳୀ କାରିଗର ।

୪୦ବର୍ଷ ହେବ ଏହି କାର୍ଯ୍ୟରେ ନିମଗ୍ନ ରହିଛନ୍ତି ଏକାଦଶୀ ବାରିକ । କେବଳ ଦୁଇ ପଇସା ରୋଜଗାର ଉଦ୍ଦେଶ୍ୟ ନୁହେଁ ବରଂ ଆଉ କିଛି ଜଣଙ୍କୁ ସ୍ୱାବଲମ୍ବୀ କରିବା, ରୋଜଗାର ବାଟ ଫିଟାଇବା ଲକ୍ଷ୍ୟକୁ ସଫଳ କରିବା ପାଇଁ ନିଜ ପ୍ରୟାସ ଜାରି ରଖିଛନ୍ତି । ଯଦି ସରକାରଙ୍କ ତରଫରୁ ପୋତ୍ସାହନ ଯୋଗାଇ ଦିଆଯାଏ ହୁଏତ ଏମାନେ ବାଉଁଶ କଳା ଦ୍ୱାରା ଅଧିକ ଯୁବକ ଯୁବତୀ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି । ଦୁଇ ଦୁଇ ଥର ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି ଏକାଦଶୀ ବାରିକ ।