ବାଉଁଶରେ ନିଖୁଣ କଳାକୃତି । ତାଜମହଲ, ଘର, ମୟୂର, ରଥ ଭଳି ସୁନ୍ଦର ସୁନ୍ଦର ଘରସଜା ସମାଗ୍ରୀ ତିଆରି କରୁଛନ୍ତି ଯାଜପୁରର ଶିଳ୍ପୀ ରମେଶ

110

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଂଚାୟତ ଗଙ୍ଗାଧରପୁର ଗାଁର ରମେଶ ବେହେରା । ରମେଶ ହାଇସ୍କୁଲ ସ୍ତରରୁ ପାଠପଢା ଛାଡିବା ପରେ ମୂଲ ମଜୁରୀ ଲାଗି ଚଳୁଥିଲେ । ଏହାପରେ ସେ ନିଜସ୍ୱ ଉଦ୍ୟମରେ ନୂଆ କିଛି କରିବା ପାଇଁ ସଙ୍କଳ୍ପ ନେଇ ଆରମ୍ଭ କରିଥିଲେ ମାଇକରେ ବ୍ୟବହାର ହେଉଥିବା ସାଉଣ୍ଡ ବକ୍ସ ତିଆରି । ମାତ୍ର ଏହି ବ୍ୟବସାୟରେ ସେତେଟା ସଫଳତା ନମିଳିବାରୁ ରମେଶ ନିଜ ବ୍ୟବସାୟର ଦିଗ ବଦଳାଇ ଆରମ୍ଭ କରିଥିଲେ ବାଉଁଶରେ ବିଭିନ୍ନ କିସମର କାମ । ଆଦୌ ପ୍ରଶିକ୍ଷଣ ନେଇନଥିବା ରମେଶଙ୍କ ବାଉଁଶ ତିଆରି କଳାକୃତିକୁ ଦେଖିଲେ ଯେକେହି ଅଭିଭୂତ ହେବ ନିଶ୍ଚୟ । ବାଉଁଶରେ ମୟୁର, ଘର, ରଥ ଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି ରମେଶ । ଯାହା ଅନ୍ୟମାନଙ୍କୁ ବେଶ ଆକୃଷ୍ଟ କରିଛି ।

ରମେଶଙ୍କ ପୁରା ପରିବାର ଏହି ବାଉଁଶ କାରିଗରି କାମକୁ ଅପଣାଇ ନେଇ ସ୍ଥାନୀୟ ଅଂଚଳରେ ସୁନାମ ଅର୍ଜନ କରିଛନ୍ତି । ପ୍ରଥମେ ବାଉଁଶକୁ ଆଣି ତାକୁ ଖରାରେ ଶୁଖାଇବା ପରେ ଛୋଟ ଛୋଟ ଆକାରରେ କାଟି ସେଥିରୁ ବିଭିନ୍ନ ଆକୃତୀର ପାତିଆ ପ୍ରସ୍ତୁତ କରି ପେନ ଷ୍ଟାଣ୍ଡ, ତାଜମହଲ, ଶ୍ରୀମନ୍ଦିର, ସୁନ୍ଦର ସୁନ୍ଦର ଘରର ମଡେଲ, ବିଭିନ୍ନ ଅକୃତୀର ମୂର୍ତି ପ୍ରସ୍ତୁତ କରିଥାନ୍ତି । ପରେ ସେଥିରେ ସ୍ପିରିଟ ଦେଇ ରଙ୍ଗ କରିଥାନ୍ତି । ରମେଶ ଓ ତାଙ୍କ ପରିବାର ଦୀର୍ଘ ଦଶବର୍ଷ ହେବ ଏହି କାରବାର କରି ଆସୁଥିବା ବେଳେ ଜିଲ୍ଳା ହସ୍ତଶିଳ୍ପ ବିଭାଗ ପକ୍ଷରୁ ତାଙ୍କ ଭଳି ଜଣେ ଶିଳ୍ପୀଙ୍କ ଉପରେ ଦୃଷ୍ଟି ପଡ଼ିନାହିଁ । ତେବେ ଗଣମାଧ୍ୟମରୁ ରମେଶଙ୍କ କଥା ଜାଣିବା ପରେ ତାଙ୍କୁ ଭେଟିଛନ୍ତି ଯାଜପୁର ଜିଲ୍ଳା ହସ୍ତଶିଳ୍ପ ବିଭାଗର ସହକାରୀ ପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ମହାନ୍ତି । ରମେଶଙ୍କ କଳାକାରିଗରିକୁ ସେ ପ୍ରସଂଶା କରିଥିବା ବେଳେ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ରାଜ୍ୟ ସରକାର ହସ୍ତଶିଳ୍ପ କାରିଗରଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ରମେଶଙ୍କ ଭଳି କାରିଗରଙ୍କୁ ସହାୟତା ଦେଇ ମୁଖ୍ୟ ସ୍ରୋତରେ ସାମିଲ କଲେ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି ।