ବାଘମ୍ବରି ମଠ ଗାଦିରେ ବସିବେ ବଲବୀର ଗିରି: ପଞ୍ଚ ପରେମଶ୍ୱରଙ୍କ ନିଷ୍ପତ୍ତି କ୍ରମେ ଦାୟିତ୍ୱ ହସ୍ତାନ୍ତର

213
କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଉତ୍ତରାଧିକାରୀ  ହେବେ ବଲବୀର ଗିରି । ଅଖିଳ ଭାରତୀୟ  ଅଖାଡା ପରିଷଦର ଅଧ୍ୟକ୍ଷ ଥିବା ବ୍ରହ୍ମଲୀନ ମଠାଧିଶ ନରେନ୍ଦ୍ର ଗିରିଙ୍କ ହତ୍ୟା ପରେ ବଲବୀର ମଠ ଗାଦିରେ ବସିବେ ବୋଲି ସର୍ବସମ୍ମତି କ୍ରମେ ମଠ ପଞ୍ଚ ପରମେଶ୍ୱର ଘୋଷଣା କରିଛନ୍ତି । ଅକ୍ଟୋବର ୫ ତାରିଖରେ ମହେନ୍ଦ୍ର ଗିରିଙ୍କର ଷୋଡସି ସଂସ୍କାର ହେବା ସହ ବଲବୀରଙ୍କ ହାତରେ ମଠ ଦାୟିତ୍ୱ ଔପଚାରିକ ଭାବେ ହସ୍ତାନ୍ତର କରାଯିବ ।
ସୂଚନା ମୁତାବକ, ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରେ  ବଲବୀରଙ୍କୁ  ଉତ୍ତରାଧିକାରୀ କରିବାକୁ ଲେଖାଯାଇଥିଲା । ହେଲେ ଏହା ଏକ ଫେକ୍ ସୁଇସାଇଡ୍ ନୋଟ୍ ବୋଲି କହି ଏହାକୁ ପ୍ରତ୍ୟାକ୍ଷାନ କରିଥିଲେ ମଠର ପଞ୍ଚ ପରମେଶ୍ୱର । ହେଲେ ଏକ ଗଣମାଧ୍ୟମରେ ନରେନ୍ଦ୍ର ଗିରିଙ୍କ ରେଜିଷ୍ଟର୍ଡ ୱିଲ ପେପରର ଖୁଲାସା ହୋଇଥିଲା । ୨୦୨୦ରେ ଲିଖିତ ଏହି ୱିଲ ପେପରରେ ନରେନ୍ଦ୍ର ଗିରି ବଲବୀରଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରିଥିବା ପ୍ରମାଣିତ ହୋଇଛି । କହିରଖୁ ଏହି ୱିଲ ପେପର ପ୍ରକ୍ରିୟାରେ ନରେନ୍ଦ୍ର ଗିରି ମଧ୍ୟ ୨୦୦୪ରେ ବାଘମ୍ବରୀ ମଠର କମାଣ ଧରିଥିଲେ ।
ଯାଞ୍ଚ କମିଟର ସୂଚନା ମୁତାବକ, ମହନ୍ତ ନରେନ୍ଦ୍ର ଗିରି ୩ଟି ୱିଲ ପେପର ପ୍ରସ୍ତୁତ କରିଥିଲେ । ପ୍ରଥମ ୱିଲ ପେପରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ମନୋନୀତ କରିଥିଲେ । ହେଲେ ୨୦୧୧ରେ ଦ୍ୱିତୀୟ ୱିଲ ପେପର ପ୍ରସ୍ତୁତ କରି ଏଥିରେ ଆନନ୍ଦ ଗିରିଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କଲେ । ହେଲେ ପରେ ତାଙ୍କ ସହ ବିବାଦ ସୃଷ୍ଟି ହେବାରୁ  ଏହାକୁ ରଦ୍ଦ କରି ତୃତୀୟ ୱିଲ ପେପର ପ୍ରସ୍ତୁତ କରିଥିଲେ, ଯେଉଁଥିରେ ପୁନର୍ବାର ବଲବୀର ଗିରିଙ୍କ ନାଁ ଘୋଷଣା କଲେ ।
ମହନ୍ତ ନରେନ୍ଦ୍ର ଗିରିଙ୍କ ହତ୍ୟା ଘଟଣାରେ ସିବିଆଇର ଯାଞ୍ଚର ଆଜି ପଞ୍ଚମ ଦିନରେ ବି ଜେରା ହେଉଛି । ମହନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗରେ ଆନନ୍ଦ ଗିରି , ଆଦ୍ୟାପ୍ରସାଦ ଗିରି ଓ ସନ୍ଦିପ ତିୱାରୀଙ୍କୁ ଜେରା କରିଛି । ଯଦି ସିବିଆଇର ସନ୍ଦେହ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ  ବୋଲି କୁହାଯାଉଛି ।