ସରକାରୀ ଡାକ୍ତରଖାନାରେ ମିଳୁ ନାହିଁ କୁକୁର କାମୁଡ଼ା ଇଞ୍ଜେକସନ୍, ହନ୍ତସନ୍ତ ହେଉଛନ୍ତି ଲୋକେ

Advertisment
ସରକାରୀ ଡାକ୍ତରଖାନାରେ ମିଳୁ ନାହିଁ କୁକୁର କାମୁଡ଼ା ଇଞ୍ଜେକସନ୍, ହନ୍ତସନ୍ତ ହେଉଛନ୍ତି ଲୋକେ

କନକ ବ୍ୟୁରୋ : ବାଲୁଗାଁ ଅଞ୍ଚଳରେ ପାଗଳ କୁକୁର ପ୍ରାଦୁର୍ଭାବ ବଢିବାରେ ଲାଗିଛି । କୁକୁର କାମୁଡ଼ା ପ୍ରତିଷେଧମୂଳକ ଇଞ୍ଜେକ୍‌ସନ୍ ବାଲୁଗାଁ ସରକାରୀ ଡାକ୍ତରଖାନାରେ ନ ଥିବାରୁ ଲୋକେ ଏଥି ପାଇଁ ଭୁବନେଶ୍ବର, ବ୍ରହ୍ମପୁର ଯିବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ ବାଲୁଗାଁ ଅଞ୍ଚଳରେ ବୁଲା କୁକୁରମାନଙ୍କର ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଥିପ୍ରତି ଏନ୍ଏସି କର୍ତ୍ତୃପକ୍ଷ ତିଳେମାତ୍ର ଗୁରୁତ୍ବ ଦେଉ ନାହାନ୍ତି। ଏହି ବୁଲା କୁକୁରମାନଙ୍କ ମଧ୍ୟରୁ ୨/୩ଟି କୁକୁର ପାଗଳ ହୋଇଯାଇଥିବା ବେଳେ ସାଧାରଣ ଜନତାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଥିବା ଖବର ହସ୍ତଗତ ହୋଇଛି। ବିଶେଷକରି ବାଲୁଗାଁ, ବଡ଼କୁଳ, ଇଞ୍ଜନପୁର, ନାଭାଲ, କିମ୍ଭୀରପଡ଼ା ଓ ଧୂଆଁଳରେ ପ୍ରାୟ ୯ଜଣ ବ୍ୟକ୍ତିଙ୍କୁ ଏହି ପାଗଳ କୁକୁର କାମୁଡ଼ିଥିବା ଜଣାଯାଇଛି।

ଆହତମାନେ ପ୍ରତିଷେଧକ ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହ‌ଞ୍ଚିଥିବା ବେଳେ ସେଠାରେ ସେମାନଙ୍କୁ ପ୍ରତିଷେଧକମୂଳକ ଇଞ୍ଜେକସନ୍ ମିଳି ନ ଥିଲା। ଏ ସମ୍ପର୍କରେ ବାଲୁଗାଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ସୌମ୍ୟଦାଶ ପଟ୍ଟନାୟକଙ୍କୁ ପଚାରିବାରୁ କୁକୁର କାମୁଡ଼ା ପ୍ରତିଷେଧକ ଇଞ୍ଜେକ୍‌ସନ୍‌ ଡାକ୍ତରଖାନାରେ ମହଜୁଦ୍‌ ନ ଥିବା କହିଛନ୍ତି। ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆହତମାନେ ବାଧ୍ୟ ହୋଇ ଭୁବନେଶ୍ବର, ବ୍ରହ୍ମପୁର ଯାଇ ଚିକିତ୍ସା ହେଉଥିବା ବେଳେ ପାଗଳ କୁକୁରଙ୍କୁ ଧରିବା ପାଇଁ ଅଦ୍ୟାବଧି ବାଲୁଗାଁ ଏନ୍‌ଏସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ବାଲୁଗାଁ ଅଞ୍ଚଳରେ ପ୍ରତିଦିନ କୁକୁର କାମୁଡ଼ା ରୋଗୀ ବାଲୁଗାଁ ମେଡ଼ିକାଲରେ ପହ‌ଞ୍ଚୁ ଥିବା ବେଳେ କୁକୁର କାମୁଡ଼ା ପ୍ରତିଷେଧକ ଇଞ୍ଜେକସନ୍ ନ ପାଇ ବଜାରରୁ ଚଢ଼ା ଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏ ସଂପର୍କରେ ବାଲୁଗାଁ ମେଡ଼ିକାଲ୍‌ର ଚିକିତ୍ସାଧୀକାରୀ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରେ ଗତ ୪ ମାସ ହେବ ଏହି ଇଞ୍ଜେକସନ୍ ଯୋଗାଣ ହେଉ ନ ଥିବାରୁ ଏହି ରୋଗୀମାନେ ବହୁ ହଇରାଣ ହରକତ ହେଉଥିବା ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe