ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ତାନ: ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ମୃତ, ଶତାଧିକ ଆହତ

151

କନକ ବ୍ୟୁରୋ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ବଲୁଚିସ୍ତାନ । କ୍ଷଣିକରେ ଚାଲିଗଲା ଅନେକ ଲୋକଙ୍କ ଜୀବନ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ । ପ୍ରଫେଟ୍ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଇଁ ଆୟୋଜିତ ସମାରୋହରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ । ଫଲରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି ।

ଇଣ୍ଡିଆ ଅଧିକୃତ ପାକିସ୍ତାନର ବଲୁଚିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ । ଆତ୍ମଘାତୀ ବିସ୍ଫୋରଣରେ ଡିଏସ୍ପିଙ୍କ ସମେତ ୫୦ରୁ ଅଧିକ ମୃତ, ଶତାଧିକ ଆହତ । ମୃତଙ୍କ ଭିତରେ ଅନେକ ପୋଲିସ କର୍ମଚାରୀ ଥିବା ସୂଚନା ମିଳିଛି । ପ୍ରଫେଟ୍ ମହମ୍ମଦଙ୍କ ଜନ୍ମବାର୍ଷିକୀ ନେଇ ଆୟୋଜିତ ହୋଇଥିଲା ଏକ ସମାରୋହ । ଯାହାକୁ ନେଇ ଶତାଧିକ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ । ମସ୍ତୁୁଙ୍ଗର ମଦିନା ମସ୍ଜିଦ୍ ନିକଟରେ ଏହି ବିସ୍ଫୋରଣ ହୋଇଥିବା ଆସିଷ୍ଟାଂଟ କମିଶନର ଅତ୍ନାହୁଲ ମୁନିନ୍ ସୂଚନା ଦେଇଛନ୍ତି ।

ବଲୁଚିସ୍ତାନ, ମସ୍ତୁଙ୍ଗ ସ୍ଥିତ ମସଜିଦ୍ ନିକଟରେ ଏକ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ସାମିଲ ହେବାପାଇଁ ଲୋକମାନେ ମସ୍ଜିଦ୍ ନିକଟରେ ଏକତ୍ରିତ ହୋଇଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ ଏକ ବାଇକ୍ରେ ଆସି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା କି, କେହି କିଛି ବୁଝିବା ପୂର୍ବରୁ ଚାଲି ଯାଇଥିଲା ଅନେକ ଜୀବନ । ମସ୍ତୁଙ୍ଗ ନିକଟରେ ଉଦ୍ଧାର କାର୍ଯ୍ୟ ଜୋର୍ଦାର କରାଯାଇଛି । ଗୁରୁତର ଆହତ ଲୋକଙ୍କୁ କ୍ୱେଟା ପଠାଇ ଦିଆଯାଇଛି ।

ବେଲୁଚିସ୍ତାନକୁ ଅଶାନ୍ତ କରିବାକୁ ଏଭଳି ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପଛରେ ତେହରିକେ ତାଲିବାନ ପାକିସ୍ତାନ ସଙ୍ଗଠନର ହାତ ଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ଅଧିକରୁ ଅଧିକ ଲୋକଙ୍କୁ ମାରିବା ପାଇଁ ମସଜିଦ୍ରେ ବିସ୍ଫୋରଣ ଘଟାଉଛି ଟିଟିପି । ତେବେ ଏଭଳି ଘଟଣାକୁ ସହ୍ୟ କରାଯିବ ନାହିଁ ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ କହିଛନ୍ତି । ସେପଟେ, ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ସମଗ୍ର ପ୍ରାନ୍ତରେ ତିନି ଦିନର ଶୋକ ପାଳନ ନେଇ ଘୋଷଣା କରିଛନ୍ତି ।