କନକ ବ୍ୟୁରୋ : ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ହେଲେ ଚଳିତବର୍ଷ ଉତ୍ତର ପ୍ରଦେଶର ତାପମାତ୍ରା ସମସ୍ତଙ୍କୁ ଚକିତ କରିଛି  । ଗୋଟିଏ ପଟେ ଅଘୋଷିତ ବିଜୁଳିକାଟ ଓ ଅନ୍ୟପଟେ ଅତ୍ୟାଧିକ ତାପମାତ୍ରା ଏବେ ଯୋଗୀ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏହି କ୍ରମରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଅଂଶୁଘାତ କାରଣରୁ ୭୩ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ୫ଜଣଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ସେପଟେ ବଲିଆ ଜିଲ୍ଲା ହସ୍ପିଟାଲକୁ ଏବେ ଶହ ଶହ ଲୋକ ଚିକିତ୍ସା ପାଇଁ ଆସୁଥିବାରୁ ହସ୍ପିଟାଲକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଏହାସହ ପ୍ରତି ୱାଡରେ ଏସି ଓ କୁଲରର ମଧ୍ୟ ବ୍ୟବସ୍ଥା କରାଯାଇଛି ।

Advertisment

ସୂଚନା ଥାଉକି ଗତ ୬ ଦିନ ମଧ୍ୟରେ ବଲିଆ ଜିଲ୍ଲାରେ ଅଂଶୁଘାତରେ ୭୩ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପଛରେ ଅତ୍ୟାଧିକ ତାପମାତ୍ରା ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ମତ ଅନୁସାରେ ଅତ୍ୟାଧିକ ଗରମ ଓ ବିଜୁଳି କାଟ୍ ପାଇଁ ଏଭଳି ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ବୟସ୍କ ଲୋକ ରହିଛନ୍ତି ।

ଏସବୁ ଭିତରେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଡକ୍ଟର ସଂଜୟ ନିଷାଦ କହିଛନ୍ତି କି ଏହା ଏକ ଦୈବିୟ ବିପର୍ଯ୍ୟୟ । ଏନେଇ ସରକାର ଏକ ଯାଂଚ କମିଟି ଗଠନ କରିଥିବା କଥା ମନ୍ତ୍ରୀ କହିବା ସହ ମୃତକଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି କହିଛନ୍ତି ।