କନକ ବ୍ୟୁରୋ : ବାଲିପାଟଣା ବୋଧଖଣ୍ଡି ଗାଁରେ ଏକତରଫା ପ୍ରେମକୁ କେନ୍ଦ୍ର କରି ଶିଶିଲୋ ଗାଁର ଆଶିଷଙ୍କୁ ହତ୍ୟା ଘଟଣାରେ ତିନି ଅଭିଯୁକ୍ତ ଗିରଫ । ରାଜା, ରାକା ଓ ଶିପୁଙ୍କୁ ଗିରଫ କରିଛି ପୋଲିସ । ଏମାନେ ସମସ୍ତେ ବାଲିଅନ୍ତା ଶିଶିଲୋ ଗାଁର ବୋଲି ଜଣାପଡ଼ିଛି । ସାଙ୍ଗମାନେ ଛଳନା କରି ଆଶିଷଙ୍କୁ ଫୋନ୍ କରି ଡକାଇ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଘଟଣାର କ୍ରାଇମ୍ସିନ୍ ରିକ୍ରିଏସନ୍ କରିବା ପରେ ପୋଲିସ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

Advertisment

ସୂଚନା ମୁତାବକ, ବୁଧବାର ପଡ଼ୋଶୀ ଘର ବାହାଘର ଥିବାରୁ ବବୁଲ କର୍ମକ୍ଷେତ୍ରକୁ ଯାଇନଥିଲା । ସେପଟେ ବବୁଲର ଭଉଣୀ ବାହାଘର ପାଖେଇ ଆସିବାରୁ ବିଫଳ ପ୍ରେମିକ ରାଜା ପ୍ରତିହିଂସାପରାୟଣ ହୋଇ ଉଠିଥିଲା । ପ୍ରେମରେ ବିଫଳ ରାଜା ପୂର୍ବରୁ ବବୁଲ ପରିବାର ଲୋକଙ୍କ ମୁଣ୍ଡ ଗଡ଼ାଇବ ବୋଲି ମଧ୍ୟ ଧମକ ଦେଇଥିଲା । ‌ଏଥିଲାଗି ସେ ବବୁଲର ବାପା ପ୍ରମୋଦଙ୍କୁ ମାରିବା ପାଇଁ ଯୋଜନା କରିଥିଲା। ହେଲେ ସୁଯୋଗ ପାଇ ନ ଥିଲା। ବୁଧବାର ବାହାଘର ଭୋଜିରେ ବବୁଲକୁ ଦେଖି ତାକୁ ରାସ୍ତାରୁ ହଟାଇବା ପାଇଁ ସ୍ଥିର କରିଥିଲା । ସେ ଜାଣିଥିଲା ଯେ ରାକା ଓ ବବୁଲ ଦୁହେଁ ଅନ୍ତରଙ୍ଗ ବନ୍ଧୁ । ରାକା ବବୁଲ ଘରକୁ ଯା’ ଆସ କରେ । ତେଣୁ ରାଜା ସନ୍ଧ୍ୟାରେ ସିପୁ ଓ ରାକାକୁ ଡାକି ମଦ ପିଆଇଥିଲା । ନିଶା ହେବା ପରେ ବବୁଲକୁ ଡାକିବା ପାଇଁ ରାକାକୁ କହିଥିଲା ।

ରାକା ବବୁଲକୁ ଫୋନ କରି ବାଲିପାଟଣା ଥାନା ବୋଧଖଣ୍ଡି ଧନୁଆ ନଦୀ ବନ୍ଧ ବାଲିଆମାଳ ରାସ୍ତାକୁ ମଦ ପିଇବା ଲାଗି ଡାକିଥିଲା । ବବୁଲ ପହଞ୍ଚିବା ଆଗରୁ ରାଜା ଓ ସିପୁ ଅନ୍ଧାରରେ ଲୁଚି ଯାଇଥିଲେ । ରାକା ଓ ବବୁଲ ସେଠାରେ ମଦ ପିଇଥିଲେ। ଛପି ଥିବା ରାଜା ଓ ସିପୁ ହଠାତ୍‌ ଆସି ବବୁଲକୁ ମାଡ଼ି ବସିଥିଲେ । ରାଜା ତାର ୨ ହାତକୁ ପଛ ପଟୁ ଧରିଥିଲା । ସିପୁ ଗାମୁଛାରେ ତଣ୍ଟିକୁ ଚିପି ଦେଇଥିଲା । ପରେ ରାଜା ବବୁଲ ମୁହଁକୁ ବିଲ ପାଣିରେ ମାଡ଼ି ଦେଇଥିଲା। ମରିଯିବା ନିଶ୍ଚିନ୍ତ ହେବା ପରେ ୩ ଅଭିଯୁକ୍ତ ଘରକୁ ଚାଲି ଯାଇଥିଲେ ।