ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୋଲିସ ସାମନାରେ ହଣାହଣି: ଜମି ବିବାଦକୁ ନେଇ ବାଲିପାଟଣା ମାର୍ଥାପୁରରେ ବୁଲିଲା ଫାର୍ସା, ଖଣ୍ଡା, ଟାଙ୍ଗିଆ; ୧୨ ଆହତ, ୩ ଗୁରୁତର

208

କନକ ବ୍ୟୁରୋ: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପୁଲିସ ସାମନାରେ ହଣାହଣି, ୧୨ ଆହତ, ୩ ଗୁରୁତର । ବାଲିପାଟଣା ଥାନା ମାର୍ଥାପୁର ଗାଁରେ ଗତ ରାତି ୮ଟାରେ ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ହୋଇଛି । ପୋଲିସ ପିସିଆର ଭ୍ୟାନ ସାମନାରେ ଉଭୟ ପକ୍ଷ ପରସ୍ପରକୁ ଫାର୍ସା, ଖଣ୍ଡା, ଟାଙ୍ଗିଆ , କୋଦାଳ ବେଂଟ , ବାଉଁଶ ଓ କାଠ ଫାଳିଆରେ ଆକ୍ରମଣ କରିଛନ୍ତି । ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବାବେଳେ ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ମାର୍ଥାପୁରର ସଞ୍ଜୟ ଭୋଇ ଓ ହେମ ଭୋଇଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିବାଡି ଗଣ୍ଡଗୋଳ ଲାଗି ରହିଥିଲା । ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ହେମଙ୍କ ପରିବାର ବିବାଦୀୟ ଜମି ଉପରେ ବାଡ ବୁଜିଥିଲେ । ଗତ ୨ ଦିନ ତଳେ ସଞ୍ଜୟଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ହେମଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା । ହେଲେ ହେମଙ୍କ ପରିବାର ଥାନାକୁ ଯାଇନଥିଲେ । ତାପରେ ପୋଲିସ ଉପସ୍ଥିତିରେ ସଞ୍ଜୟଙ୍କ ପରିବାର ଗାଁକୁ ଯାଇଥିବାବେଳେ ଗଣ୍ଡଗୋଳ ହୋଇଥିଲା ।