ଏରସମା-ବାଲିକୁଦାରେ ମହାଲଢ଼େଇ ! ପ୍ରଶାନ୍ତଙ୍କ ହ୍ୟାଟ୍ରିକ୍ ସ୍ୱପ୍ନକୁ ଭାଙ୍ଗିଦେବେ କି ଦାମ ? ସେପଟେ ଉଭୟଙ୍କ କଳିର ଫାଇଦା ନେବାକୁ ବିରୋଧୀ ତୟାର ।

Advertisment
ଏରସମା-ବାଲିକୁଦାରେ ମହାଲଢ଼େଇ ! ପ୍ରଶାନ୍ତଙ୍କ ହ୍ୟାଟ୍ରିକ୍ ସ୍ୱପ୍ନକୁ ଭାଙ୍ଗିଦେବେ କି ଦାମ ? ସେପଟେ ଉଭୟଙ୍କ କଳିର ଫାଇଦା ନେବାକୁ ବିରୋଧୀ ତୟାର ।

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ସରଗରମ କରୁଛି ଜଗତସିଂହପୁର ଜିଲ୍ଲାରେ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀ । କାରଣ ପୂର୍ବତନ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ବିଦା କରିବାରେ ପ୍ରମୂଖ ଭୂମିକା ନେଇଥିଲେ ପ୍ରଶାନ୍ତ ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ଏରସମା ଦାମଙ୍କ ଜନ୍ମମାଟି ହୋଇଥିଲେ ମଧ୍ୟ ଏଠାରେ ପ୍ରଶାନ୍ତଙ୍କ ଦବଦବା ରହି ଆସିଛି । ତେଣୁ ଦାମଙ୍କ ସହିତ ପ୍ରଶାନ୍ତଙ୍କ ଶତ୍ରୁତା ଏଥର ପ୍ରଶାନ୍ତଙ୍କ ବାଟ ଓଗାଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ ଏହାର ଫାଇଦା ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ନେବାକୁ ରଣନୀତି ପ୍ରସ୍ତୁତ କରୁଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି ।

publive-imageସେପଟେ ବିଧାୟକଭାବେ ହ୍ୟାଟ୍ରିକ୍ ମାରିବାକୁ ଲକ୍ଷ୍ୟ ରଖିଥିବା ବିଜେଡି ବିଧାୟକ ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ମାତ୍ ଦେବା ପାଇଁ ସମସ୍ତେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ୨୦୦୯ରେ ଗଠନ ହୋଇଛି ଏରସମା-ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀ । ପ୍ରଥମ ବିଧାୟକ ଭାବେ ପ୍ରଶାନ୍ତ ମୁଦୁଲି ବିଜୟୀ ହୋଇଥିଲେ। ୨୦୧୪ରେ ମଧ୍ୟ ବିରୋଧୀଙ୍କୁ ଚକମା ଦେଇ ପ୍ରଶାନ୍ତ ବିଜୟ ତିଳକ ପିନ୍ଧିଥିଲେ । ବିଶେଷ କରି ପ୍ରଶାନ୍ତଙ୍କୁ ହରାଇବା ପାଇଁ ଦାମ କି ବାଣ ମାରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ ଏରସମା ଅଞ୍ଚଳରେ ଦାମଙ୍କର ପୈତୃକ ଘର। ତେଣୁ ଯେ କୌଣସି ସ୍ଥିତି ମୁକାବିଲା ପାଇଁ ପ୍ରଶାନ୍ତ ବର୍ତ୍ତମାନଠାରୁ ସଜାଗ ହୋଇଗଲେଣି । ବିଶେଷ କରି ଦାମଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ନିଜ ଅମଳରେ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେଉଛନ୍ତି ପ୍ରଶାନ୍ତ । ସେହିଭଳି ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଶାନ୍ତଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ , ଯୁବ ନେତା ଶଶୀକାନ୍ତ ପରିଡ଼ା ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନ୍ଦାକିନୀ କର ମଧ୍ୟ ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି ।

publive-imageଅନ୍ୟପଟେ ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ୍ ହାର ଚର୍ଚ୍ଚା ସୃଷ୍ଟି କରିଥିଲା । ସେମାନେ ହେଲେ ଶାରଦା ଜେନା ଓ ରଘୁନନ୍ଦନ ଦାସ । ବର୍ତ୍ତମାନ କିନ୍ତୁ ଶାରଦା କଂଗ୍ରେସ ଟିକଟ ପାଇବା ପାଇଁ ଆଶାୟୀ ଅଛନ୍ତି । ଗତଥର ପରାଜିତ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଏଥର ଟିକେଟ୍ ପାଇବା ପାଇଁ ରାଜ୍ୟ ନେତୃବୃନ୍ଦଙ୍କୁ ଖୁସି କରିବାରେ ଲାଗିପଡ଼ିଛନ୍ତି । ହେଲେ ଲଲାଟେନ୍ଦୁ ଓ ଶାରଦାଙ୍କ ମଧ୍ୟରୁ ହାଇକମାଣ୍ଡ କାହାକୁ ଟିକଟ ପ୍ରଦାନ କରୁଛନ୍ତି, ତାହା ଦେଖିବା କଥା । କେବଳ ଏତିକିରେ ସରୁନି କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କୁ ତାଲିକା । ଏମାନଙ୍କ ବ୍ୟତୀତ ଆଇନଜୀବୀ ସୁଶାନ୍ତ କାନୁନଗୋ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶିବବ୍ରତ ଦାସ ମଧ୍ୟ କଂଗ୍ରେସ ଟିକଟ ଲବିରେ ରହିଛନ୍ତି ବୋଲି ଶୁଣିବାକୁ ମିଳୁଛି ।

publive-imageବର୍ତ୍ତମାନ କେନ୍ଦ୍ରରେ ବିଜେପି ସରକାର ରହିଥିବାରୁ ଯେଉଁଭଳି ଭାବେ ମୋଦ ଓ ଶାହାଙ୍କ ଯୋଡ଼ି ବିଭିନ୍ନ ରାଜ୍ୟକୁ ଗେରୁଆ କରିବାରେ ଗୋଟିଚାଳନା କରୁଛନ୍ତି ଓ ମନ୍ତ୍ର ଦେଉଛନ୍ତି । ସେହି ମନ୍ତ୍ରକୁ ନେଇ ବିଜେପି ଆଶାୟୀ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇବା ପାଇଁ ଭରପୁର ଉଦ୍ୟମ କରୁଛନ୍ତି । ଗତଥର ସ୍ୱାଧୀନଭାବେ ଲଢ଼ିଥିବା ରଘୁନନ୍ଦନ ଦାସ ଏବେ ବିଜେପିରେ ଅଛନ୍ତି । ତେଣୁ ଏଥର ପଦ୍ମ ଚିହ୍ନରେ ନିର୍ବାଚନ ଲଢିବାକୁ ସଜବାଜ ରଘୁନନ୍ଦନ ବୋଲି ଶୁଣିବାକୁ ମିଳୁଛି । ସେହିଭଳି ୨୦୧୪ରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଚିତ୍ତ ରଂଜନ କଂସ, ୨୦୦୯ରେ ପ୍ରାର୍ଥୀ ହୋଇଥିବା ପ୍ରିୟରଂଜନ ଦାସ ମଧ୍ୟ ବିଜେପି ଟିକେଟ୍ ଲବିରେ ରହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ନେତୃବୃନ୍ଦ କାହା ଉପରେ ଭରସା କରିବେ ଆଉ କାହାକୁ କମାଣ୍ଡର ଭାବେ ମୈଦାନକୁ ଛାଡ଼ିବେ ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି ।

ଏସବୁ ବାଦ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆଗାମୀ ନିର୍ବାଚନରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଆଉ ବିଜୟ ତିଳକ ପିନ୍ଧିପାରିବେ ନାହିଁ ବୋଲି ଦାମ ଚ୍ୟାଲେଞ୍ଜ ଦେଇଥିଲେ । କାରଣ ବିଜେଡିରୁ ଦାମଙ୍କୁ ବିଦା କରିବାରେ ପ୍ରଶାନ୍ତଙ୍କ ଗୁରୁତ୍ପୂର୍ଣ୍ଣ ଭୂମିକା ରହିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଖାସ୍ ଏହି କାରଣରୁ ଏବେ ବାଲିକୁଦା-ଏରସମା ଆସନକୁ ନେଇ ଭିନ୍ନ ଅଙ୍କ କଷା ଚାଲିଛି । ବିରୋଧୀ କଂଗ୍ରେସ ଓ ବିଜେପି ସମେତ କିଛି ଯୁବନେତା ଯେଉଁମାନେ ନିଜକୁ ବିଜେଡି ବୋଲି ଦାବି କରୁଛନ୍ତି, ମିଳିତ ଭାବେ ପ୍ରଶାନ୍ତଙ୍କୁ ଘେରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି  । ଏବେ ଦେଖିବାକୁ ବାକି ରହିଲା କିଏ ପ୍ରଶାନ୍ତଙ୍କ ହ୍ୟାଟ୍ରିକ୍ ବିଜୟକୁ ବ୍ରେକ୍ ଲଗାଇବ ଗଡ଼ ହାତାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe