ଆରପାରିରେ ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ସୁରେଖା ସୀକରୀ । ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

272

କନକ ବ୍ୟୁରୋ : ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସୀକରୀଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘଦିନ ହେବ ସେ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସିରିଅଲ ବାଳିକା ବଧୁ ଓ ଚଳଚିତ୍ର ‘ବଧାଇ ହୋ’ ରେ ଜେଜେ ମା ଭୂମିକାରେ ଅଭିନୟ କରି ସେ ବେସ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁରେଖାଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ।

ମ୍ୟାନେଜରଙ୍କ ସୂଚନା ମୁତାବକ ଆଜି ସକାଳେ ସୁରେଖାଙ୍କ ମୃତ୍ୟୁ ହୋଇଛି । ୨୦୧୮ ମସିହାରେ ପ୍ରଥମେ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇଥିଲା ଏହାପରେ ପୁଣି ୨୦୨୦ ମସିହା ସେପ୍ଟେମ୍ବର ମାସରେ ଦ୍ୱିତୀୟ ଥର ବି ଷ୍ଟ୍ରୋକ୍ ହୋଇଥିଲା । ଏଥର ଚିକିତ୍ସା ପାଇଁ ସେ ଆର୍ଥିକ ସହାୟତା ମାଗିଥିଲେ ।

ସୁରେଖା ସୀକରୀ ଥିଏଟରରୁ କଳାକାର ଜୀବନ ଆରମ୍ଭ କରି ଟିଭି ସିରିଅଲ, ଫିଲ୍ମରେ କାମ କରିଥିଲେ । ତାଙ୍କ ୩ ଥର ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ ଭାବେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ୬୬ ତମ ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ବି ପୁରସ୍କୃତ କରାଯାଇଥିଲା । ଫିଲ୍ମ ‘ବଧାଇ ହୋ’ ରେ ସେ ଅଭିନୟ କରିଥିବା ଜେଜେ ମା ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।