ବିଧାସଭାରୁ ହାଇସ୍କୁଲ!ରାଜନୀତିର ବୟାନବାଜି, ବିବାଦୀୟ ସ୍ଥିତି କିମ୍ବା କୋଳାହଳ ନୁହେଁ ! ଆସିଲା ଭଲ ଖବର

27

କନକ ବ୍ୟୁରୋ : ବିଧାସଭାରୁ ହାଇସ୍କୁଲ । ବିଧାନସଭାରେ ହୋ ହାଲ୍ଲା କରୁଥିବା ବିଧାୟକ ଆଜି ପରୀକ୍ଷା ହଲରେ ପୂରା ଶାନ୍ତ ହୋଇ ପରୀକ୍ଷା ଦେଉଛନ୍ତି । ସବୁବେଳେ ଲୋକଙ୍କ ଗହଣରେ ରହୁଥିବା ବିଧାୟକ ଆଜି ଶିକ୍ଷକଙ୍କ ଗହଣରେ ବସି ପରୀକ୍ଷା ଦେଉଛନ୍ତି । ନାଁ ପଛରେ ବିଧାୟକ ଷ୍ଟାମ୍ପ ସିନା ଲାଗିଛି କିନ୍ତୁ ମନ ଭିତରେ ଅଣ୍ଡର ମାଟ୍ରିକର ଦୁଃଖର ଗ୍ଲାନି ଭରି ରହିଥିଲା । ଆଉ ଏହାକୁ ଦୂର କରିବା ପାଇଁ ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । ଏଭଳି ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ବରଂ ଓଡ଼ିଶାରେ ଦେଖିବାକୁ ମିଳିଛି । ଆଜି ବାଲିଗୁଡା ବିଧାୟକ ରାଜୀବ ପାତ୍ର ମାଟ୍ରିକ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ମୁକ୍ତ ବିଦ୍ୟାଳୟର ସ୍ୱତନ୍ତ୍ର ପାଠ୍ୟକ୍ରମ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ବିଧାୟକ । ସେ ଅଷ୍ଟମ ଶ୍ରେଣୀ ଯାଏଁ ପଢିଥିଲେ । ଏବେ ମାଟ୍ରିକ ପାସ କରିବାକୁ ସେ ପରୀକ୍ଷା ଦେଉଛନ୍ତି । ଯାହାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଓଡ଼ିଶାର ଚଳିତ ବିଧାନସଭାରେ ୮ଜଣ ବିଧାୟକ ମାଟ୍ରିିକ ପାସ କରିନଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।ପଂଚମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ଯେଉଁମାନେ କୌଣସି କାରଣରୁ ପାଠ ଛାଡିଥିବେ ସେମାନେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧିନରେ ପାଠ ପଢିପାରିବା ବ୍ୟବସ୍ଥା ରହିଛି । କର୍ମଜଞ୍ଜାଳ ଓ ଜନସେବା ମଧ୍ୟରୁ ସମୟ ବାହାର କରି ବିଧାୟକ ଆଗେଇ ଆସିଛନ୍ତି ମାଟ୍ରିକ ପରୀକ୍ଷା ଦେବା ପାଇଁ ।

ଏହି ପାଠ୍ୟକ୍ରମ ଅଧିନରେ ତୁମୁଡିବନ୍ଧ ଜଳେଶପଟା ସରକାରୀ ବାଳିକା ବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି ବିଧାୟକ ରାଜୀବ ପାତ୍ର । ବିଧାୟକ ମାଟ୍ରିିକ ପାସ ପାଇଁ ଉଦ୍ୟମ କରୁଥିବାରୁ ତାଙ୍କୁ ବେଶ ପ୍ରଶଂସା କରାଯାଇଛି । ପରୀକ୍ଷାରେ ଭଲ କରିଥିବା, କହିଛନ୍ତି ରାଜୀବ ପାତ୍ର । ଶିକ୍ଷାରୁ ବଂଚିତ ହୋଇଥିବା ଲୋକଙ୍କ ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏକ ଭଲ ବ୍ୟବସ୍ଥା ବୋଲି ସେ କହିଛନ୍ତି । ତେବେ ଅନେକ ବିଧାୟକ ଜାଲ ଶିକ୍ଷାଗତ ଯୋଗ୍ୟତା ଦର୍ଶାଇ ନିର୍ବାଚନ ଲଢୁଥିବା ବେଳେ ରାଜୀବଙ୍କ ଏଭଳି ପ୍ରୟାସ ଅନ୍ୟ ବିଧାୟକଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।