ରାଷ୍ଟ୍ରୀୟ ମର୍ଯ୍ୟାଦା ଦୂରେ ଥାଉ, କରୋନା ଯୋଦ୍ଧାଙ୍କୁ ମିଳିଲାନି ସର୍ବନିମ୍ନ ମାନବୀୟ ସମ୍ମାନ । ଗୋଟିଏ ଶଶ୍ମାନରୁ ଆଉ ଗୋଟିଏ ଶ୍ମଶାନ ଘୁରି ବୁଲିଲା ଡାକ୍ତରଙ୍କ ଶବ

791

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କୁ ମିଳିଲାନି ମଶାଣି । ମରଶରୀର, ମଶାଣିରୁ ମଶାଣି ବୁଲିଲା । ସକାଳୁ ରାତି ହୋଇଗଲା । ଶେଷରେ ଜଙ୍ଗଲ ଭିତରେ ଅନ୍ତିମ ସଂସ୍କାର କରାଗଲା । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଦେଖାଦେଇଛି ଏଭଳି ଅଭାବନୀୟ ସ୍ଥିତି । କାରଣ, ସମସ୍ତଙ୍କ ମନରେ ବସା ବାନ୍ଧିଥିଲା କରୋନାର ଭୟ ।

ଡାକ୍ତର ସପନ କୁମାର ପ୍ରଧାନ । ବୟସ ୫୫ ବର୍ଷ । ବର୍ଷ ବର୍ଷ ଧରି ଘରେ ଘରେ ଲୋକଙ୍କ ଚିକିତ୍ସା କରିଛନ୍ତି । ରାତି ଅଧରେ ଲୋକଙ୍କୁ ଦେଖିଛନ୍ତି । ହଜାର ହଜାର ଲୋକଙ୍କ ରୋଗ ଭଲ କରିଛନ୍ତି । ତାଙ୍କ କ୍ଲିନିକକୁ ଆସିଥିବା ଅନେକ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ହେଲେ ଏହି ଡାକ୍ତରଙ୍କ ଶେଷ ସମୟରେ ଟିକିଏ ମାନବିକତା ଦେଖାଇନାହାଁନ୍ତି ପାଖ ପଡୋଶୀ । ମରଶରୀରରୁ ମୁହଁ ଫେରାଇନେଇଛି ସ୍ୱାର୍ଥପର ମଣିଷ । କାରଣ, ମନରେ ବସା ବାନ୍ଧିଛି କରୋନାର ଭୂତ ।

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଳକ ମାଳିକାପଡାରେ ରହୁଥିବା ଡାକ୍ତର ସପନ କୁମାର ପ୍ରଧାନ ବୁଧବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ରକ୍ତଚାପ ବଢିଯାଇଥିଲା । ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଡାଏବେଟିସ୍ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫୁଲବାଣୀ ହସପିଟାଲ ନେବା ବାଟରେ ଚାଲିଗଲା ଜୀବନ । ଅଧରାସ୍ତାରୁ ଗାଁକୁ ଫେରିଥିଲା ମରଶରୀର । ହେଲେ କୋରୋନା ସନ୍ଦେହରେ ମିଳିଲାନି ମଶାଣି । ଗାଁ ମଶାଣିରେ ଶବସକ୍ରାର ପାଇଁ ମନା କରିଦେଲେ । ବିଡିଓ , ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଦୂରରେ ଥିବା କନାବାଗେରୀ ଶ୍ମଶାନକୁ ପଠାଇଦେଲେ । ହେଲେ ସେଠାରେ ବି ବିରୋଧ କଲେ ସ୍ଥାନୀୟ ଲୋକ । ଶେଷରେ ଉଦୟଗିରିରୁ ଦୂର ଜଙ୍ଗଲ ଭିତରେ ଡାକ୍ତରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ଡାକ୍ତର ସପନ କୁମାର ପ୍ରଧାନ କରୋନା ପଜିଟିଭ୍ ନଥିଲେ । ସେ ଥିଲେ ଜଣେ କରୋନା ଯୋଦ୍ଧା । ଯିଏ ମହାମାରୀ ସମୟରେ ମଧ୍ୟ ଚିକିତ୍ସା ଜାରି ରଖିଥିଲେ । ହେଲେ ଲୋକଙ୍କ ମଧ୍ୟରେ ଥିବା ଭୂତାଣୁ ଭୟ ଜଣେ କରୋନା ଯୋଦ୍ଧାଙ୍କ ମରଶରୀର ପ୍ରତି ଅସମ୍ମାନ କରିବାକୁ ଯେଭଳି ବାଧ୍ୟ କରିଛି ।