କାହାର ହେବ ବାଲିଗୁଡ଼ା ଆସନ ? ବିଜେପିର ପୁରୁଖା ନେତାଙ୍କୁ ସାମ୍ନା କରିବେ ବିଜେଡି ଓ କଂଗ୍ରେସର ନୂଆ ମୁହଁ ।

131

କନକ ବ୍ୟୁରୋ: ବାଲିଗୁଡାରେ ବଡ ବିଜୟ ହାସଲ କରିବ କିଏ ? ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ପଦ୍ମ ଫୁଟାଇବାକୁ ବିଜେପିର ଭରସା ପୁରୁଣା ମୁହଁ । ଦେଢ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସର ନୂଆ ରଣନୀତି । ଆସନ୍ତା ୧୮ ତାରିଖରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏଠାରେ ନିଜ ନେତା ବାଛିବେ ଜନତା । ଆଉ ତିନି ଦଳର ୩ ପ୍ରାର୍ଥୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଥର ବିଜେଡି ବିଧାୟକ ରାଜୀବ ପାତ୍ରଙ୍କୁ ଟିକେଟ୍ ନଦେଇ ଏହି ଆସନ ପାଇଁ ନୂଆ ମୁହଁ ଚକ୍ରଧର କହଁରକୁ ବାଛିଛନ୍ତି ବିଜେଡି ସୁପ୍ରିମୋ । ଟିକେଟ୍ ତାଲିକାରେ ଅନେକ ଆଶାୟୀ ଥିଲେ ମଧ୍ୟ ଦଳ ଚକ୍ରଧରଙ୍କ ହାତରେ ଏଥର ବାଲିଗୁଡ଼ା ଭାର ଦେଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ଚକ୍ରଧର କହଁରଙ୍କୁ ଲୋକମାନେ ବେଶ୍ ପସନ୍ଦ କରୁଥିବାବେଳେ ଏଥର ବିଜେଡିକୁ ନିର୍ବାଚନୀ ବୈତରଣୀ ପାର କରିବାକୁ ପ୍ରମୁଖ ଭୂମିକା ନେଇ ପାରନ୍ତି ଚକ୍ରଧର ବୋଲି ଶୁଣିବାକୁ ମିଳୁଛି । 

ସେହିପରି ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ବିଜୟ ସ୍ୱାଦ ଚାଖିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି । ତେଣୁ ଏଥର ନିର୍ବାଚନ ଲଢ଼ିବାକୁ ବିଜେପିରୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କୁ ଦଳ ବାଲିଗୁଡ଼ା ଭାର ଦେଇଛି । ଚଳିତ ନିର୍ବାଚନ ପାଇଁ କରେନ୍ଦ୍ରଙ୍କ ବ୍ୟତୀତ ବିପ୍ରଚରଣ ପ୍ରଧାନ, ଶେଷଦେବ ପ୍ରଧାନ, ବେଣୁଧର ମାଝି ପ୍ରମୁଖ ଟିକେଟ ଦୌଡ଼ରେ ଥିଲେ ମଧ୍ୟ ଦଳ କରେନ୍ଦ୍ରଙ୍କ ଦକ୍ଷତାକୁ ବିଶ୍ୱାସ କରିଛି । ହେଲେ ବିଜେପି ପାଇଁ ବିଜୟ ଏତେ ସହଜ ହୋଇନପାରେ କାରଣ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନରେ କଡ଼ା ମୁକାବିଲା ଦେବାକୁ ପ୍ରସ୍ତୁତ ରହିଛନ୍ତି ।

ବିଜେଡିକୁ ପ୍ରତିଥର ଭଳି କଡ଼ା ଟକ୍କର ଦେବାକୁ ରଣନୀତି କରିଛି କଂଗ୍ରେସ । ତେଣୁ ଚଳିତ ଥର ଦଳ ସିମନ ମଲ୍ଲିକଙ୍କୁ ପ୍ରାର୍ଥୀ କରି ବିଜେଡି ଓ ବିଜେପିକୁ ଚେକ୍ ଦେବାକୁ ଗୋଟିଚାଳନା କରିଛି । ୨୦୧୪ ନିର୍ବାଚନରେ ବିଜେଡିକୁ ଚ୍ୟାଲେଞ୍ଜ ଦେଇ ମାତ୍ର ଅଳ୍ପ ଭୋଟରରେ ହାରିଥିବା କ୍ଲେଶ ପ୍ରଧାନଙ୍କୁ ଏଥର କଂଗ୍ରେସ ଟିକେଟ୍ ନଦେଇ ସିମନ୍ ମଲ୍ଲିକଙ୍କୁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ହେଲେ ବାଲିଗୁଡ଼ାରେ ଏବେ ବି କଂଗ୍ରେସ ପାଇଁ ଦଳୀୟ କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଥିବା ଶୁଣିବାକୁ ମିଳୁଛି । କଂଗ୍ରେସ କର୍ମୀଙ୍କ କହିବା ମୁତାବକ ଯଦି ଦଳୀୟ ନେତାମାନେ ଅର୍ନ୍ତକନ୍ଦଳକୁ ଦୂର କରି ଏକାଠି ହୋଇ ଲଢ଼ିବେ ତେବେ ବିଜୟ ଏଠାରେ ସୁନିଶ୍ଚିତ ।

ଚାରିଟି ବ୍ଳକ ଓ ଗୋଟିଏ ଏନଏସିକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ଗଠିତ । ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେଡି ଦଖଲରେ ରହିଛି । ୨୦୦୦ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀ ବିଜେପି ଭାଗରେ ପଡିଥିଲା । ସେହି ନିର୍ବାଚନରେ ବିଜେଡି ସମଥର୍ନରେ ବିଜେପିର ସୁରେନ୍ଦ୍ର କହଁର ଓ ୨୦୦୪ରେ କରେନ୍ଦ୍ର ମାଝି ବିଜୟୀ ହୋଇଥିଲେ । ହେଲେ ୨୦୦୯ରେ ମେଣ୍ଟ ଭାଙ୍ଗିଲା ପରେ ବି ବିଜେପିର କରେନ୍ଦ୍ର ମାଝି ପୁଣି ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ବଦଳି ଯାଇଥିଲା ରାଜନୀତି ପାଣିପାଗ । ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜୀବ ପାତ୍ର ବିଜୟ ତିଳକ ପିନ୍ଧିଥିଲେ । ଏଠାରେ ବିଜେଡିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିଲେ ସୁଦ୍ଧା ମାତ୍ର ଅଢେଇ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କ୍ଲେଶ ପ୍ରଧାନ ହାରି ଯାଇଥିଲେ । ଅନ୍ୟପଟେ ବିଜେପି ତୃତୀୟ ସ୍ଥାନକୁ ଖସିଯାଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ବାଲିଗୁଡ଼ା ରାଜନୀତି ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।