କାହାର ହେବ ବାଲିଗୁଡ଼ା ଆସନ ! ନୂଆ ମୁହଁ ଖୋଜୁଛି ବିଜେଡି, ବିଜେପି-କଂଗ୍ରେସକୁ ଅଡୁଆ ମାଳମାଳ ଆଶାୟୀ ।

ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇପାରେ ବୋଲି ରଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।

121

କନକ ବ୍ୟୁରୋ: ବାଲିଗୁଡ଼ା ସିଂହାସନରେ ବସିବ କିଏ ? ସାଧାରଣ ନିର୍ବାଚନ ପାଖେଇ ଆସିଲାବେଳକୁ ଏଭଳି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । ୪ଟି ବ୍ଲକ ଓ ଗୋଟିଏ ଏନଏସିକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେଡି ଦଖଲରେ ରହିଛି । ୨୦୦୦ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀ ବିଜେପି ଭାଗରେ ପଡିଥିଲା । ସେହି ନିର୍ବାଚନରେ ବିଜେଡି ସମଥର୍ନରେ ବିଜେପିର ସୁରେନ୍ଦ୍ର କହଁର ଓ ୨୦୦୪ରେ କରେନ୍ଦ୍ର ମାଝି ବିଜୟୀ ହୋଇଥିଲେ ।

ସେହଭିଳି ୨୦୦୯ରେ ମେଣ୍ଟ ଭାଙ୍ଗିଲା ପରେ ବି ବିଜେପିର କରେନ୍ଦ୍ର ମାଝି ପୁଣି ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ବଦଳି ଯାଇଥିଲା ରାଜନୀତି ପାଣିପାଗ । ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜୀବ ପାତ୍ର ବିଜୟ ତିଳକ ପିନ୍ଧିଥିଲେ । ଏଠାରେ ବିଜେଡିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିଲେ ସୁଦ୍ଧା ମାତ୍ର ଅଢେଇ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କ୍ଲେଶ ପ୍ରଧାନ ହାରି ଯାଇଥିଲେ। ଅନ୍ୟପଟେ ବିଜେପି ତୃତୀୟ ସ୍ଥାନକୁ ଖସିଯାଇଥିଲା । କିନ୍ତୁ ଏବେ ରାଜନୀତି ପାଣିପାଗ ପୂରା ବଦଳି ଯାଇଥିବା ଶୁଣିବାକୁ ମିଳିଛି ।

ଆଗାମୀ ସାଧରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସେତେ ସରଗରମ ହେବାରେ ଲାଗିଛି। ସବୁ ଦଳରୁ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଛି। ଚର୍ଚ୍ଚା ଚାଲିଛି ଯେ, ବର୍ତ୍ତମାନର ବିଧାୟକ ରାଜୀବ ପାତ୍ରଙ୍କୁ ପୁନର୍ବାର ପ୍ରାର୍ଥୀ କରି ରିସ୍କ ନେବାକୁ ଚାହୁଁ ନାହିଁ ବିଜେଡି। ମିଳିଥିବା ସୁଚନା ଅନୁଯାୟୀ ବାଲିଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ଏଥର ନୂଆ ମୁହଁ ଲକ୍ଷ୍ୟରେ ରହିଛନ୍ତି ଦଳୀୟ ସୁପ୍ରିମୋ । ହେଲେ ପୁଣି ଥରେ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି ବିଧାୟକ ରାଜୀବ ପାତ୍ର । ତାଙ୍କ ବ୍ୟତୀତ ଆଶାୟୀ ତାଲିକାରେ ଷ୍ଟିପାନ ପ୍ରଧାନ, ଚକ୍ରମଣି କହଁର, ଶିରିସ ପ୍ରଧାନଙ୍କ ନାମ ରହିଥିବା ଚର୍ଚ୍ଚା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡିକୁ ପ୍ରତିଥର ଭଳି କଡ଼ା ଟକ୍କର ଦେବାକୁ ରଣନୀତି କରିଛି କଂଗ୍ରେସ । ତେଣୁ କଂଗ୍ରେସରୁ ୫ ଜଣ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି । ୨୦୧୪ ନିର୍ବାଚନରେ ବିଜେଡିକୁ ଚ୍ୟାଲେଞ୍ଜ ଦେଇ ମାତ୍ର ଅଳ୍ପ ଭୋଟରରେ ହାରିଥିବା କ୍ଲେଶ ପ୍ରଧାନ ଏଥର କଂଗ୍ରେସ ଟିକେଟ୍ ପାଇବା ପାଇଁ ଦୃଢ ଦାବିଦାର ରହିଛନ୍ତି । କ୍ଲେଶଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ର ପ୍ରଧାନ, ସୁମନ ମଲ୍ଲିକ, ସଦାନନ୍ଦ ମଲ୍ଲିକ ଓ କ୍ୟାସିଂ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି । କିନ୍ତୁ ଦଳୀୟ ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଥିବା ଶୁଣିବାକୁ ମିଳୁଛି । କଂଗ୍ରେସ କର୍ମୀଙ୍କ କହିବା ମୁତାବକ ଯଦି ଦଳୀୟ ନେତାମାନେ ଅର୍ନ୍ତକନ୍ଦଳକୁ ଦୂର କରି ଏକାଠି ହୋଇ ଲଢ଼ିବେ ତେବେ ବିଜୟ ଏଠାରେ ସୁନିଶ୍ଚିତ ।

ସେହିଭଳି ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏଥଣ ବିଜୟ ସ୍ୱାଦ ଚାଖିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି । ତେଣୁ ଏଥର ନିର୍ବାଚନ ଲଢ଼ିବାକୁ ବିଜେପିରୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଦୌଡରେ ସବୁଠାରୁ ଆଗରେ ରହିଛନ୍ତି । କରେନ୍ଦ୍ରଙ୍କ ବ୍ୟତୀତ ବିପ୍ରଚରଣ ପ୍ରଧାନ, ଶେଷଦେବ ପ୍ରଧାନ, ବେଣୁଧର ମାଝି ପ୍ରମୁଖ ଟିକେଟ ଦୈଡ଼ରେ ରହିଛନ୍ତି । କିନ୍ତୁ ବିଜେପି ପାଇଁ ବିଜୟ ଏତେ ସହଜ ହୋଇନପାରେ । ହେଲେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହୋଇପାରେ ବୋଲି ରଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।