କନକ ବ୍ୟୁରୋ: ବଦଳିଲେ ବାଲିପାଳ ଆଇଆଇସି । କାଲି ମାଡ଼ ଖାଇଲେ ଆଜି ବଦଳି ହେଲେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ । ଗତକାଲି ବାଲିଆପାଳ ଥାନା ଅଞ୍ଚଳରେ ଏକ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ସ୍ଥାନୀୟ ଆଇଆଇସି ପ୍ରଭୁକଲ୍ୟାଣ ଆଚର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆଜି ଆଇଆଇସିଙ୍କୁ ବଦଳି କରାଯାଇଥିବା ଜଣାଯାଇଛି । ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଂଜିତ ସାହୁଙ୍କୁ ଅବସ୍ଥାପିତ କରାଯାଇଥିବାର ସୂଚନା ମିଳିଛି ।ସୂଚନାଯୋଗ୍ୟ ବାଲିଆପାଳ ଥାନାଠାରୁ ଏକ କିମି ଦୂର ଇଡକୋ ଛକ ନିକଟରେ ଥିବା ରାଜଧାନୀ ଢାବାରେ କାର୍ଯ୍ୟ କରୁଥିବା କମର୍ଦ୍ଦା ଥାନା ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ନାବାଳକ ପୁଅ ବିଜୟ(୧୬)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ଗତକାଲି ମିଳିଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିରୁ ବିଜୟକୁ ମାରି ଟାଙ୍ଗି ଦିଆଯାଇଥିବା ସନ୍ଦେହ କରିଥିଲେ। ବାଲିଆପାଳ ଥାନା ଆଇଆଇସି ସାଦା ପୋଷାକରେ ସେଠାରେ ପହଞ୍ଚିଥିଲେ ମଧ୍ୟ ଘଟଣାକୁ ହାଲୁକା ଭାବରେ ନେଇଥିଲେ । ଏପରିକି ପରେ ଘଟଣାସ୍ଥଳରେ ଦୁଇଜଣ କନେଷ୍ଟବଳ ରଖି ଆଇଆଇସି ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି ।
ଏହି ଢାବାରେ ଦୀର୍ଘଦିନ ହେଲା ନିଶା କାରବାର ସାଙ୍ଗକୁ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲାବେଳେ କୌଣସି କାରଣରୁ ବିଜୟକୁ ହତ୍ୟାକରି ଟାଙ୍ଗି ଦିଆଯାଇଥିବା ଲୋକେ ଅଭିଯୋଗ କରିଥିଲେ । ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସଂପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ । ଆଉ ଉତ୍ତ୍ୟକ୍ତ ଲୋକେ ଢାବା ଭଙ୍ଗାରୁଜା ଆରମ୍ଭ କରିବା ସହ ଘଟଣାସ୍ଥଳରେ ଆଇଆଇସିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।
ଅନ୍ୟପଟେ ଏହିମାମଲା ଏବେ ଏଚଆରପିସିଙ୍କ ନିକଟକୁ ଯାଇଛି । ଆଉ ଏହାର ତଦନ୍ତ ଭାର ପୋଲିସ୍ ଡିଜି ଏଚଆରପିସିଙ୍କୁ ଦେଇଛନ୍ତି । ତେବେ ଏଚଆରପିସି ଡିଏସପି ରଞ୍ଜିତ୍ କୁମାର ନାୟକ ଏହି ମାମଲାର ତଦନ୍ତ କରିବେ ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଅନ୍ୟପଟେ ଏଚଆରପିସି ଟିମ୍ ମଧ୍ୟ ବାଲିଆପାଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।