ଶ୍ରମିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ ଫସିଲେ ବାଲିଆପାଳ ବିଡିଓ: ଘଟଣାର ରିପୋର୍ଟ ଦେବାକୁ ପଂଚାୟତରାଜ ବିଭାଗର ନିର୍ଦ୍ଦେଶ; ମନ୍ତ୍ରୀ କହିଲେ, ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାର ଠିକ ନୁହେଁ, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଘଟଣାକୁ କଲେ ନିନ୍ଦା

1,008

କନକ ବ୍ୟୁରୋ: ଫସିଲେ ବାଲିଆପାଳ ବିଡିଓ । ଶ୍ରମିକଙ୍କୁ ଦୁର୍ବ୍ୟବହାର ନେଇ ପ୍ରସଙ୍ଗରେ ତଦନ୍ତ କରି ରିପୋର୍ଟ ଦେବାକୁ ପଂଚାୟତିରାଜ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଏହି ସମୟରେ ପ୍ରଶାସନିକ ଅଧିକାରୀଙ୍କ ଏପରି ବ୍ୟବହାର ଠିକ ନୁହେଁ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ମୁଁ ଓଏଏସ ଅଫିସର, ତୋ ଭଳିଆ ଦାଦନ ଖଟୁନି । ବେଶି କଥା କହୁଛ, ପୂରା ପାଟି ଚୁପ୍ । ତୁ ଛିଡା ହେବୁ, ତୋ ଚଉଦପୁରୁଷ ବି ଛିଡାହେବ ।

ଏଭଳି ଢଙ୍ଗରେ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ ଗତକାଲି ପାଟି କରିଥିଲେ ବାଲିଆପାଳ ବିଡ଼ିଓ । ପ୍ରବାସୀଙ୍କ ଅଭିଯୋଗ ଅନୁସାରେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ବାଲିଆପାଳରେ ଥିବା କ୍ୱାରେଂଟାଇନ ସେଂଟରକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ବିଡିଓ ଉତ୍କ୍ଷିପ୍ତ ହୋଇ ପଡିଥିଲେ । ସେପଟେ କ୍ୱାରେନ୍ଟାଇନ୍ କେନ୍ଦ୍ର ନିକଟରେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ବାଲିଆପାଳ ବିଡିଓ ଛବିରାଣୀ ସାହୁ । ଏହି ଘଟଣା ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବାଲେଶ୍ୱର ଜିଲ୍ଲାପାଳ । ଏହାପରେ ପଂଚାୟତିରାଜ ବିଭାଗ ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଟ୍ୱଟ କରିଛନ୍ତି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।