ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଡାକ କର୍ମଚାରୀଙ୍କ ଘର ପଛପଟୁ ମିଳିବା ପରେ ବଢିଲା ସନ୍ଦେହ; ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

1,008

କନକ ବ୍ୟୁରୋ: ଆଧାର କାର୍ଡକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ସରକାରୀ ଜରୁରୀ ନଥି ମିଳୁଛି ମାଟିତଳୁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳରେ । ବ୍ଲକର ଯୋଗେଇ ପୋଷ୍ଟ ଅଫିସରେ କାର୍ଯ୍ୟରତ ବାଂଛାନିଧି ପରିଡାଙ୍କ ଘର ପଛପଟୁ ମିଳିଛି ଏହିଭଳି ଶହ ଶହ ଆଧାର କାର୍ଡ । ଅଭିଯୋଗ ହୋଇଛି ଲୋକଙ୍କ ନଦେଇ ଆଧାର କାର୍ଡକୁ ଘର ପଛପଟେ ମାଟିରେ ପୋତି ଦେଇଥିଲେ ବାଂଛାନିଧି ।

କିଛିବର୍ଷ ପରେ ସେହି ସ୍ଥାନରୁ ମାଟି ବିକ୍ରି କରିବା ପାଇଁ ଖୋଳିଲା ବେଳେ ବାହାରିଛି ଏସବୁ ଆଧାର କାର୍ଡ । ଶହ ଶହ ଆଧାର କାର୍ଡ ଏଭଳି ମାଟିତଳୁ ବାହାରିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତେଜନା ଦେଖାଦେଇଛି । ସରକାର ଡାକ ଯୋଗେ ଆଧାର କାର୍ଡ ପହଂଚାଇବା ପାଇଁ ଅଧିକ ସୁରକ୍ଷିତ ମନେ କରୁଥିବାବେଳେ ଖୋଦ ଡାକ ବିଭାଗ କର୍ମଚାରୀ ଏହାକୁ ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ ହୋଇଛି । ହେଲେ ସଂପୃକ୍ତ ପୋଷ୍ଟ ଅଫିସ କର୍ମଚାରୀ କହିଛନ୍ତି. ଏହା ତାଙ୍କ ବିରୋଧରେ ଏକ ଚକ୍ରାନ୍ତ ।