ନଭେମ୍ବର ୧୨ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡିଆରେ ବାଲିଯାତ୍ରା ହେବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତି

447

କନକ ବ୍ୟୁରୋ: ନଭେମ୍ବର ୧୨ରୁ ଆରମ୍ଭ ହେବ ବାଲିଯାତ୍ରା । ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଉଭୟ ତଳପଡିଆ ଓ ଉପର ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ତଳପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ ।

ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବାଲିଯାତ୍ରା ଆୟୋଜନ କରାଯିବ । ତେବେ ଚଳିତବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ପୁର୍ବରୁ ମହାନଦୀ ପଠାରେ ବାଲିଯାତ୍ରା ବନ୍ଦ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ବାଲିଯାତ୍ରା ଫଳରେ ନଦୀ ପ୍ରଦୂଷଣ ହେଉଥିବାରୁ ବନ୍ଦ କରିବାକୁ କହିଥିଲେ ଗ୍ରୀନ ଟ୍ରିବ୍ୟୁନାଲ । ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ ତଥା ଅନ୍ୟାନ୍ୟ ପ୍ରଦ୍ୟୁଷଣ ଯୁକ୍ତ ସାମଗ୍ରୀକୁ ଯାତ୍ରାରୁ ଦୂରେଇ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ମେଳାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସା ବ୍ୟବସ୍ଥା କରାଯିବା ସହ ପଲିଥିନମୁକ୍ତ ବାଲିଯାତ୍ରା ପାଇଁ ପେପରବ୍ୟାଗ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିଭଳି ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଡକାଯିବା ନେଇ ମହାନଗର ନିଗମ କମିଶନର କହିଛନ୍ତି ।

ଅନ୍ୟପଟେ ଗତବର୍ଷ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ଖୋଲିଥିବା ପ୍ରତି ଷ୍ଟଲରେ ଡଷ୍ଟ ବିନ୍ ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା ସହିତ ଓରମାସ୍ ସମେତ ଖୋଲିଥିବା ସମସ୍ତ ଅସ୍ଥାୟୀ ଷ୍ଟଲଗୁଡିକୁ ବୀମାଭୁକ୍ତ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏବଂ ଖାସ୍ କରି ବାଲିଯାତ୍ରାରେ ସମସ୍ତ ଷ୍ଟଲରେ ନାମଫଳକ ଓଡିଆରେ ଲେଖାଯିବାର ବ୍ୟବସ୍ଥା କରାଯାଇଥିଲା । ତେବେ ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ସାଂସ୍କୃତିକ ଦଳ ବାଲିଯାତ୍ରାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯିବ ।