କ୍ଷତିପୂରଣ ନୁହେଁ ଚାକିରି ଦିଅ… ଟ୍ରେନ ଦୁର୍ଘଟଣାରେ ରୋଜଗାରିଆ ଲୋକଙ୍କୁ ହରାଇ ଥିବା ପରିବାରକୁ ଚାକିରି ଦେବାକୁ ଉଠିଲା ଦାବି ।

5,701

କନକ ବ୍ୟୁରୋ: ଆଖିରୁ ଲୁହ ଶୁଖୁନି । ଆପଣାର ଲୋକ ଆଉ ଫେରିବେନି ଭାବି ଥରି ଉଠୁଛନ୍ତିି ଆତ୍ମୀୟ ସ୍ୱଜନ । କୁନି ଝିଅ ବାପାକୁ ଖୋଜୁଛି । ଛୋଟ ଝିଅଟିକୁ, ଉତ୍ତର ଦେଇପାରୁନାହାନ୍ତି, ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଖଇରା ବ୍ଲକ ସିଙ୍ଗିପୁର ଗାଁର ବିକ୍ଷିପ୍ତ ପ୍ରଧାନଙ୍କ ପତ୍ନୀ । ଆଉ ଏତିକିବେଳେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦିଆଯିବା ପ୍ରସଙ୍ଗକୁ ନେଇ ସେ ଗୁହାରିଛନ୍ତି । କହିଛନ୍ତି, ଟଙ୍କା ନୁହେଁ ସରକାରୀ ଚାକିରୀ ଯୋଗାଇ ଦିଅ ।

ସେପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟର ମୃତକଙ୍କ ପରିବାରକୁ ସହାୟତା ଓ ଚାକିରି ପ୍ରଦାନ କରିବା ପରେ, ଏହି ଦାବି ବେଶ ଗୁରୁତ୍ୱ ବହନ କରୁଛି । କାରଣ ମମତା କରିଥିବା ଘୋଷଣା ଅନୁସାରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାରକୁ ଚେକ୍ ଓ ନିଯୁକ୍ତି ପତ୍ର ଦେଇଛନ୍ତି । ତେବେ ରେଳ ବିଭାଗ ମୃତକଙ୍କ ପରିବାରକୁ ଚାକିରି ଦିଅନ୍ତୁ ବୋଲି ଦାବି କରିଛନ୍ତି ରାଜନେତା ଓ ଅର୍ଥନୀତି ବିଶେଷଜ୍ଞ ।

ଏସବୁ ଭିତରେ ଓଡ଼ିଶାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍ ଓ କିସ୍ । ଯୋଗ୍ୟତା ଭିତିରେ କିଟ୍ ଓ କିସ୍ ଅନୁଷ୍ଠାନରେ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଏଥିସହ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମୃତକଙ୍କ ପରିବାରକୁ ଚାକିରି ଯୋଗାଇ ଦେବାକୁ, କେବଳ ଜଣଙ୍କର ନିବେଦନ ନୁହେଁ । ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ସବୁ ଅସହାୟ ପରିବାରର ନିବେଦନ । କାରଣ ଦୁର୍ଘଟଣାର ଶିକାର ହୋଇ ଯେଉଁମାନଙ୍କ ଜୀବନ ଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ନିମ୍ନ ମଧ୍ୟବିତ ପରିବାର । ଆଉ ରୋଜଗାର ପାଇଁ ଟ୍ରେନରେ ଯାତ୍ରା କରୁଥିଲେ ।