ସରଗରମ ଉପ-ନିର୍ବାଚନ ତାତି: ବାଲେଶ୍ୱରରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ; ଚାଲିଚାଲି, ସାଇକେଲ୍ ପରେ ଗାଡିରେ ପ୍ରଚାର କଲେ ବେଣୁ ମଉସା

ଅପରାହ୍ନରେ ଡିଜିଟାଲ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

302

କନକ ବ୍ୟୁରୋ: ଉପନିର୍ବାଚନରେ ଏବେ ଚର୍ଚ୍ଚାରେ ଅଛନ୍ତି  ବାଲେଶ୍ୱରରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ବଡ଼ ବଡ଼ ରାଲି, ଧମାଧମ ପ୍ରଚାର, ବଡ଼ ବଡ଼ ନେତାଙ୍କ ପ୍ରଚାର ଭିତରେ, ୮୦ ବର୍ଷର ବେଣୁଧର ନିର୍ବାଚନ ଲଢୁଛନ୍ତି । ତିନୋଟି ଦଳର ପ୍ରଚାରରେ ସେ ଫିକା ପଡ଼ିଛନ୍ତି । କିନ୍ତୁ ତାଙ୍କ ପ୍ରଚାରର ତରିକା ଏବେ ସମସ୍ତଙ୍କ ମନକୁ ମୋହିଛି । ବେଣୁଧରଙ୍କ ବୟସ ହେଉଛି ୮୦ ବର୍ଷ । ବାଲେଶ୍ୱର ସହରର ଗୁଡ଼ିପଡ଼ାରେ ରୁହନ୍ତି । ଏବେ ବେଣୁଧର ମଉସା, ନିର୍ବାଚନ ପ୍ରଚାର କରୁଛନ୍ତି । କେତେ ବେଳେ ସାଇକେଲ ଧରି, ତ ଆଉ କେତେବେଳେ ଚାଲି ଚାଲି ଭୋଟ୍ ମାଗୁଛନ୍ତି । ପ୍ରଥମେ ଚାଲି ଚାଲି ପ୍ରଚାର କଲେ ।  ତା ପରେ ସାଇକେଲ ପରେ ଅଟୋ ଓ ଏବେ ଗାଡିରେ ପ୍ରଚାର କରିଛନ୍ତି ବେଣୁଧର ବାରିକ ।

ସେପଟେ ଆଜି ଠାରୁ ବିଜେଡିର ପ୍ରଚାର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ମୈଇଦାନରେ ନୁହେଁ ନବୀନ ନିବାସରୁ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ଆଜି ତିର୍ତୋଲରେ ଡିଜିଟାଲ ସମାବେଶ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ କରିବେ ପ୍ରଚାର । ସେପଟେ ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଇଦାନ କମ୍ପୁଛି । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ବାଲେଶ୍ୱରରେ ଡେରା ପକାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାନସ ଦତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ବଡ ବଡ ନେତା କସରତ ଚଳାଇଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ନିଜ ସମର୍ଥକଙ୍କ ଶୋଭାଯାତ୍ରା, ସମାବେଶ ଓ ଘର ଘର ବୁଲି ପ୍ରଚାର କରୁଛନ୍ତି ।