ବବି ଦାସଙ୍କୁ ଘାରିଲା ବାଲେଶ୍ୱର ଚିନ୍ତା ! ଅଚାନକ ଗସ୍ତ, ଆଶାୟୀଙ୍କ ସହ ଆଲୋଚନା ପରେ ଉଠିଲା ପ୍ରଶ୍ନ, ଟିକେଟ ପାଇବ କିଏ ?

1,704

କନକ ବ୍ୟୁରୋ: ବାଲେଶ୍ୱର ସଦର ଆସନ ଉପନିର୍ବାଚନକୁ ନେଇ ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି। ଦଳର ସଂଗଠନ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଅଚାନକ ବାଲେଶ୍ବର ଗସ୍ତରେ ଆସି ସର୍କିଟ୍ ହାଉସ ଠାରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ପୂର୍ବତନ ସଦର ବିଧାୟକ ଜୀବନପ୍ରଦୀପ ଦାଶଙ୍କ ସହ ରୁଦ୍ଧଦ୍ବାର ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ସହ ପ୍ରଣବ ଘଣ୍ଟାଏରୁ ଅଧିକ ସମୟ ଧରି କରିଥିବା ଏହି ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଟିକେଟକୁ ନେଇ ବାଲେଶ୍ୱର ସଦରରେ ଦେଖାଦେଇଥିବା ବିବାଦକୁ ପ୍ରଶମିତ କରିବାକୁ ବବି ଦାସ ଆସିଥିଲେ ନା ସରକାରୀ କାର୍ଯ୍ୟକ୍ରମ ପୂର୍ବରୁ ଉଭୟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଥିଲା ଯୋଜନା, ତାହା ସ୍ପଷ୍ଟ ହୋଇନାହିଁ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପ୍ରଣବ ବାଲେଶ୍ବରରେ ପହଞ୍ଚି ସିଧା ସର୍କିଟ୍ ହାଉସ୍ ଯାଇଥିଲେ। କିଛି ସମୟ ପରେ ସେଠାରେ ପୂର୍ବତନ ସାଂସଦ ଶ୍ରୀ ଜେନା ପହଞ୍ଚିଥିଲେ। ଦୁହେଁ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ସେଠାରେ ପହଞ୍ଚିଥିଲେ। ତିନି ନେତାଙ୍କ ମଧ୍ୟରେ ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଏହା ପରେ ସମସ୍ତେ ବାହାରକୁ ଆସିଥିଲେ ଏବଂ ପ୍ରଣବ ଗାଡ଼ିରେ ବସି ସେଠାରୁ ଚାଲି ଯାଇଥିଲେ। ସଦର ଉପନିର୍ବାଚନକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଲାଗି ରହିଥିବା ବେଳେ ପ୍ରଣବଙ୍କ ଏହି ରୁଦ୍ଧଦ୍ବାର ଆଲୋଚନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲେଶ୍ବର ସଦରରେ ଭୂମିହୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଥିବାରୁ ବବି ବାଲେଶ୍ବର ଗସ୍ତରେ ଆସିଥିଲେ ବୋଲି ଜୀବନପ୍ରଦୀପ ଦାଶ ସୂଚନା ଦେଇଛନ୍ତି। ଏହି ବୈଠକ ସମ୍ପର୍କରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ସେ କୌଣସି ରୁଦ୍ଧଦ୍ବାର ବୈଠକରେ ସାମିଲ ହୋଇନଥିଲେ। ରବିବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ସେ ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଫୋନ୍ କରି ବାଲେଶ୍ବର ସର୍କିଟ୍ ହାଉସ ଆସିବାକୁ କୁହାଯାଇଥିଲା । ତେବେ ପହଞ୍ଚିବା ବେଳକୁ ବବି ଦାସଙ୍କର ଫେରିବା ସମୟ ହୋଇ ଯାଇଥିଲା। ସର୍କିଟ ହାଉସ୍ ବାହାରେ ଅଳ୍ପ କିଛି ସମୟ ତାଙ୍କ ସହ ଆଲୋଚନା କରି ବବି ଫେରି ଯାଇଥିଲେ ବୋଲି ଶ୍ରୀ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଏହି ରୁଦ୍ଧଦ୍ବାର ବୈଠକ ନେଇ ଶ୍ରୀ ଜେନାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

ସଦର ଉପନିର୍ବାଚନ ପ୍ରସଙ୍ଗକୁ ନେଇ ଗତ ମଙ୍ଗଳବାର ଦିନ ଦଳୀୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ୩ଦିନିଆ ବାଲେଶ୍ବର ଗସ୍ତରେ ଆସି ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ନେତୃମଣ୍ଡଳୀଙ୍କ ସହ ସର୍କିଟ ହାଉସ୍ରେ ଆଲୋଚନା କରିଥିଲେ। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କେମିତି ବିଜୟ ଲାଭ କରିବେ ତାର ଯୋଜନା ପ୍ରସ୍ତୁତ କରାଯିବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନ୍ ଦାୟିତ୍ବ ବିଧାୟକ ଓ ନେତାମାନଙ୍କୁ ଦିଆଯାଇଥିଲା। ତେବେ ଏହି ଦାୟିତ୍ବ ବଣ୍ଟାକୁ ନେଇ ରବୀନ୍ଦ୍ରଙ୍କୁ ଅବହେଳା କରାଯାଇଛି ଏବଂ ସେ ବିଜେଡି ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା ।

ଶେଷରେ ରବୀନ୍ଦ୍ର ଗଣମାଧ୍ୟମ ସାମନାକୁ ଆସି ନିଜ ପ୍ରତିକ୍ରିୟା ରଖି କହିଥିଲେ, ସେ ସଦର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦୌଡ଼ରେ ନାହାନ୍ତି। ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଦଳୀୟ ବୈଠକରେ ସୂଚନା ଦେଇଥିଲେ ଏବଂ ସେ ଦଳ ଛାଡ଼ିବା ଖବର ଭିତ୍ତିହୀନ, କପୋଳକଳ୍ପିତ।