କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ସାଧାରଣ ନିର୍ବାଚନୀ ହାୱା । ଆଉ ଏହି ହାୱାରେ ସରଗରମ ହେଉଛି ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ । କାରଣ ବାଲେଶ୍ୱର ଲୋକସଭା କ୍ଷେତ୍ରର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏହି ସଦର ନିର୍ବାଚନମଣ୍ଡଳୀ ସବୁବେଳେ ଏକ ଗୁରୁତ୍ବ ବହନ କରି ଆସିଛି । ଅଣକଂଗ୍ରେସର ଗଡ଼ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ ଗତ ୧୦ ବର୍ଷ ହେଲା ବିଜୁ ଜନତା ଦଳ ଅକ୍ତିଆରରେ ରହିଛି । ଏପରିକି ଅଧିକାଂଶ ସମୟରେ ତ୍ରିକୋଣୀୟ ବା ଚର୍ତୁମୂଖୀ ଲଢ଼େଇ ହେଉଥିବା ଏହି ଆସନର ଫଳାଫଳ ଏଥର ଯେ କୌଣସି ଦଳ ସପକ୍ଷରେ ଯାଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଯେଉଁଥି ପାଇଁ ଶାସକ ଓ ବିରୋଧୀ ମଧ୍ୟରେ ଗୋଟିଚାଳନା ଆରମ୍ଭ ହୋଇଗଲାଣି ।
ବାଲେଶ୍ୱର ସଦରର ପୂର୍ବ ନିର୍ବାଚନ ସୂଚନା ମୁତାବକ, ୯୦ ଦଶକରେ ସାରା ଓଡ଼ିଶାରେ ମୁଖ୍ୟତଃ କଂଗ୍ରେସ ଓ ଜନତା ଦଳ ମଧ୍ୟରେ ଲଢ଼େଇ ହେଉଥିବାବେଳେ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ବାମପନ୍ଥୀ ନେତା ଅରୁଣ ଦେଙ୍କ ଦବଦବା ଥିଲା ରହିଥିଲା । ଅରୁଣ ଏଠାରୁ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇ ବିଜୟ ତିଳକ ପିନ୍ଧିଥିଲେ । କିନ୍ତୁ ୨୦୦୦ ମସିହା ପରଠାରୁ ବାଲେଶ୍ବର ନିର୍ବାଚନ ମଣ୍ଡଳୀର ରାଜନୀତି କଡ଼ ଲେଉଟାଇଥିଲା । କାରଣ ବିଜେପି ଓ ବିଜେଡି ମେଣ୍ଟ ହେବା ପରେ ୨୦୦୦ ମସିହାରେ ବିଜେପି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ଏଠାରେ ବିଜୟୀ ହୋଇଥିଲେ । ୨୦୦୯ରେ ମେଣ୍ଟ ଭାଙ୍ଗିଯିବା ପରେ ଦଳ ବଦଳ କରି ରାତାରାତି ବିଜେଡିକୁ ଲମ୍ଫ ଦେଇଥିବା ଜୀବନ ଗତ ଦୁଇଟି ନିର୍ବାଚନ (୨୦୦୯, ୨୦୧୪)ରେ ଏଠାରୁ ବିଜୟୀ ହୋଇଛନ୍ତି। ଆଗାମୀ ନିର୍ବାଚନରେ ମଧ୍ୟ ଦଳ ଜୀବନଙ୍କୁ ଏଠାରେ ପ୍ରାର୍ଥୀ କରିବା ନେଇ ଆଶବାଦୀ ଅଛନ୍ତି ସମର୍ଥକ ।
ଅନ୍ୟପଟେ ବିଜେଡି ପ୍ରାର୍ଥୀ ତାଲିକା ଦୌଡ଼ରେ ବରିଷ୍ଠ ନେତା ଅରୁଣ ଦେ ମଧ୍ୟ ନିଜକୁ ସାମିଲ କରିଛନ୍ତି । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିବା ପରେ ଅରୁଣ ଇତିମଧ୍ୟରେ କଂଗ୍ରେସର ହାତ ଛାଡ଼ି ସାରିଛନ୍ତି ଏବଂ ବିଜେଡି ସପକ୍ଷରେ ଜିଲ୍ଲା ପରିଷଦ ଉପନିର୍ବାଚନରେ ମଧ୍ୟ ପ୍ରଚାର କରିଛନ୍ତି । ମାତ୍ର ବିଧିବଦ୍ଧ ଭାବେ ଏଯାଏ ବିଜେଡିରେ ସାମିଲ ହୋଇ ନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଆଲୋକ ସାହୁ, ବିଜେଡି ମିଡିଆ ସେଲର ସଂଯୋଜକ ରଘୁନାଥ ଲେଙ୍କା ପ୍ରମୁଖ ଦୌଡ଼ରେ ଅଛନ୍ତି। ତେବେ ଜୀବନଙ୍କ ବିକଳ୍ପ ଭାବେ ନିକଟରେ ସମ୍ପୂର୍ଣ୍ଣ ନୂଆ ମୁହଁ ଭାବେ ଲୋକପ୍ରିୟ ଡାକ୍ତର ଅମିତାଭ ଗିରିଙ୍କ ନାଁ ମଧ୍ୟ ସ୍ଥାନୀୟ ରାଜନୀତି ମହଲରେ ଶୁଣିବାକୁ ମିଳୁଛି ।
ସେହିଭଳି ବିଜେପି ମଧ୍ୟ ଶାସକ ବିଜେଡିକୁ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ତେଣୁ ଗତଥର ଏଠାରୁ ବିଜେପି ପ୍ରାର୍ଥୀ ହୋଇ ୩୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଦ୍ୱିନୀୟ ସ୍ଥାନରେ ରହି ଦଳ ପାଇଁ ସମ୍ମାନ ରଖିଥିବା ମଦନ ମୋହନ ଦତ୍ତ ଏଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ବିିଜେପିର ଅନ୍ୟ ଜଣେ ଆଶାୟୀ ପ୍ରାର୍ଥୀ ବିପିନ୍ କୁମାର ଦାସ ମଧ୍ୟ ଏହି ଟିକେଟ୍ ଦୌଡ଼ରେ ରହିଥିବା ଜଣାପଡ଼ିଛି । ଯେଉଁଥି ପାଇଁ ଅନେକ ଲୋକାଭିମୂଖୀ କାର୍ଯ୍ୟକ୍ରମରେ ଉଭୟ ଆଶାୟୀ ଜୋରଦାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି ।
ଅନ୍ୟପଟେ ବାଲେଶ୍ୱରରେ କଂଗ୍ରେସ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । କାରଣ ଏହି ନିର୍ବାଚନମଣ୍ଡଳୀରେ ପାଖାପାଖି ୧୦ ବର୍ଷ ‘ହାତ’କୁ ମଜଭୁତ କରି ରଖିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହେବା ପରେ ଜିଲ୍ଲାରେ କଂଗ୍ରେସର ସମୀକରଣ ସମ୍ପୂର୍ଣ୍ଣ ଓଲଟ ପାଲଟ ହୋଇଯାଇଛି । ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ବାଦ୍ ପଡ଼ି ସ୍ୱାଧିନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିବା ମାନସ ଦାସ ପଟ୍ଟନାୟକ ଏଥର କଂଗ୍ରେସ ଟିକଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ତାଙ୍କ ସହିତ ଆଉଜଣେ ଯୁବନେତା ବିକ୍ରମ ପଣ୍ଡାଙ୍କ ନାଁ ମଧ୍ୟ କଂଗ୍ରେସ ଶିବିରରେ ଶୁଣିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BALESWAR-Vote-1.jpg)