ବାଲେଶ୍ୱରର ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା: ପୁଲିସ କହିଲା, ଅନୈତିକ ସଂପର୍କ ଦେଖିଦେବାରୁ କରାଯାଇଛି ହତ୍ୟା

ଆଜି ସକାଳୁ ମାମୁଁଘର ପଛପଟ ପୋଖରୀରୁ ମିଳିଥିଲା ମୃତଦେହ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଥିଲା ନିଖୋଜ

3,515

କନକ ବ୍ୟୁରୋ: ଅବୈଧ ସଂପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ଆଜି ସକାଳୁ ପୋଖରୀରୁ ଉଦ୍ଧାର ହୋଇଥିଲା ନିଖୋଜ ନାବାଳିକର ମୃତଦେହ ।

ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରିଥିଲା ପୁଲିସ । କାରଣ ନାବାଳିକାର ମୃତଦେବର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ବେକରେ ଗଭୀର କ୍ଷତ ରହିଛି । ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହାକୁ ନେଇ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟା ।

ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଛି । ନୟାଗଡର ପରୀ, ଯାଜପୁରର ପିହୁ ପରେ ବାଲେଶ୍ୱର ବାଲିଆପାଳର ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ହୋଇଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାଇ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଅର୍ଥାତ୍ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ।

ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ବିଷ୍ଣୁପ୍ରିୟାର କୋ÷÷ଣସି ସନ୍ଧାନ ପାଇନଥିଲେ, ଏନେଇ ଗତକାଲି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୁଲିସ ଖୋଜାଖୋଜି କରିବା ବେଳେ ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ମୃତ ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ସେହି ସୁନ୍ଦୁରକୋଇଲି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅଟକ ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅବୈଧ ସଂପର୍କକୁ ନାବାଳିକା ବିଷ୍ଣୁପ୍ରିୟା ଦେଖି ଦେଇଥିବାରୁ ତାକୁ ହତ୍ୟା କରାଯାଇଛି ।