କନକ ବ୍ୟୁରୋ: ମୁଣ୍ଡ ଉପରେ ଖଇଫୁଟା ଖରା, ଦେହରୁ ବହିପଡୁଛି ଗମଗମ ଝାଳ । କାନ୍ଧରେ ଖଣ୍ଡେ ଗାମୁଛା ଆଉ ଚିରାଫଟା ଗଞ୍ଜିଟିଏ ପିନ୍ଧି ସହରର ଗଳିଗଳିରେ ଡାକ ପକାଉଛନ୍ତି ଚାଚା । ଡ୍ରେସ ନେବ ଡ୍ରେସ... ସାଇକେଲଟିଏ ଧରି ସେଥିରେ ଭଳିକି ଭଳି ଲୁଗା ନେଇ ଲୋକଙ୍କ ଦୁଆର ମୁହଁରେ ପହଞ୍ଚୁଛନ୍ତି । ଚାଚାଙ୍କ ଏହି ଚଳନ୍ତା ଦୋକାନରେ ଆପଣ ସବୁ ପାଇବେ । ପିଲାଠୁ ବୁଢାଯାଏଁ ସମସ୍ତଙ୍କ ପାଇଁ ସେ ରଖିଛନ୍ତି ଭେରାଇଟି ଡ୍ରେସ । ଧନୀ ହୁଅନ୍ତୁ କି ଗରିବ ସେ ସମସ୍ତଙ୍କ ଗଳି ଦେଇ ଯାଆନ୍ତି ଆଉ ଚଳନ୍ତା ସାଇକେଲରେ ଶସ୍ତା ସପିଂ ମଲକୁ ପହଞ୍ଚାନ୍ତି ।
ଚାଚାଙ୍କ ଏହି ସାଇକେଲର ଦୋକାନ କେଉଁ ସପିଂ ମଲଠୁ କମ ନୁହେଁ । ମାନେ ସପିଂ ମଲରେ ଯେମିତି ଆପଣ ଡ୍ରେସ ଖୋଜି ଖୋଜି ନିଜ ମନ ପସନ୍ଦର ବାଛିପାରିବେ । ଠିକ୍ ସେମିତି ଚାଚାଙ୍କ ସାଇକେଲ ସପିଂ ମଲରେ ବି ଆପଣ ନିଜେ ବାଛି ପସନ୍ଦର ଜିନିଷ କିଣିପାରିବେ । ଫରକ ଏତିକି ସେଠି ଅଧିକ ଆଉ ଚାଚାଙ୍କ ପାଖରେ ବଜାରଠୁ ଢେର କମ ଦାମ । ପ୍ରାୟ ୧୦୦ରୁ ଅଧିକ ହ୍ୟାଙ୍ଗରରେ ଡ୍ରେସ ଟାଙ୍ଗି ସହରରେ ବୁଲିବୁଲି ଫେରି କରୁଛନ୍ତି ବାଲେଶ୍ୱରର ଚାଚା ।
ଗୋଟିଏ ସାଇକେଲରେ ଯେ ଏତେ ସୁନ୍ଦର ଭାବେ ସବୁ ଜିନିଷକୁ ନେଇ ଫେରି କରିହେବ ତାହା ଆପଣ ଏ ସାଇକେଲ ସପିଂ ମଲକୁ ଦେଖିଲେ ହିଁ ଜାଣିପାରିବେ । ତେବେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଚାଚା ସାଇକେଲରେ ପଲିଥିନ ଘୋଡାଇଛନ୍ତି । ଏହା ଦ୍ୱାରା ସେ ସୁରକ୍ଷିତ ରହିବା ସହ ଡ୍ରେସ ବି ସୁରଶ୍ରକ୍ଷିତ ରହିବ ।
ତେବେ ଗରିବ ହୋଇଥିବାରୁ ଦୋକାନ କରିବା ତାଙ୍କ ପାଇଁ ଅସମ୍ଭବ । ତେଣୁ ପେଟପାଟଣା ପାଇଁ ଚାଚା ଏହି ନିଆରା ପନ୍ଥା ଆପଣାଇଛନ୍ତି । ଯାହା ଦ୍ୱାରା ସେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛନ୍ତି ।
Follow Us