ବିଜେଡି ଜିତିଲା ବାଲେଶ୍ୱର ବାଜି । ସଦରର ସର୍ଦ୍ଦାର ହେଲେ ସ୍ୱରୂପ । ବିଜେପିକୁ ମାତ୍ ଦେଇ ବିଜୟ ବାନା ଉଡାଇଲା ବିଜେଡି ।

808

କନକ ବ୍ୟୁରୋ: ବିଜେଡି ଜିତିଲା ବାଲେଶ୍ୱର ସଦର । ବାଲେଶ୍ୱରରେ ଉଡିଲା ବିଜେଡିର ବିଜୟ ବାନା । ବିଜେପିକୁ ମାତ ଦେଇ ସଦର ସର୍ଦ୍ଦାର ହେଲେ ସ୍ୱରୂପ ଦାସ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ବିପୁଳ ବିଜୟ । ବାଲେଶ୍ୱର ଉପନିର୍ବାଚନରେ ବାଜିମାରି ନେଲା ବିଜେଡି । ୧୩ ହଜାରରୁ ଅଧିକ ଭୋଟରେ ବିଜେପିକୁ ହରାଇଲା ବିଜେଡି । ଯଦିଓ ଆନୁଷ୍ଠନିକ ଭାବେ ଫଳାଫଳ ଘୋଷଣା ହୋଇନି ତେବେ ବିଜେଡି ବିଜୟ ହୋଇଥିବା ସୂଚନା ମିଳିଛି ।

ତେବେ ବିଜେପିର ଗଡରେ ଏଥର ଶୁଭିଛି ଶଙ୍ଖ । ୨୦୧୯ ନିର୍ବାଚନରେ ବିଜେପି କବଜାରେ ବାଲେଶ୍ୱର ସଦର ଥିବା ବେଳେ ଏଥର କିନ୍ତୁ ସଦର ଗେରୁଆ ବଦଳରେ ସବୁଜ ହୋଇଛି । ଆଉ ବିଜେଡି ବାଜିମାତ କରିଛି ।

ବିଜେପି ବିଧାୟକ ମଙ୍ଗୁ ଦତ୍ତଙ୍କ ପରଲୋକ ପରେ ଉପନିର୍ବାଚନ ହେଉଛି । ଯେଉଁଥିଲେ ବିଜେପି ପକ୍ଷରୁ ମଙ୍ଗୁ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିଲା । ସିମ୍ପାଥି ଭୋଟ ପାଇ ପୁଣି ବାଲେଶ୍ୱରରେ ପଦ୍ମ ଫାଟାଇବାକୁ ଆଶା ରଖିଥିଲା ବିଜେପି । ହେଲେ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣି ବିଜେଡି ବିଜୟୀ ହୋଇଛି । ବିଜେଡିର ନୂଆ ଚେହେରା ସ୍ୱରୂପ ଦାସ ବହୁ ଭୋଟରେ ଜିତିଛନ୍ତି ।

ତେବେ ଯଦିଓ ଗଣତି ଆରମ୍ଭରେ ଅନେକ ରାଉଣ୍ଡରେ ବିଜେଡି ଆଗରେ ରହିଥିଲା କିନ୍ତୁ ଗଣତି ଶେଷ ହୋଇ ଆସିବା ବେଳକୁ ବିଜେପି- ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୨୦ତମ ରାଉଣ୍ଡରେ ଆଗରେ ଥିଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ । ବିଜେଡିକୁ ୧୬୭୨, ବିଜେପିକୁ ୨୧୮୬ ଭୋଟ ମିଳିଥିଲା । ୨୦ ରାଉଣ୍ଡରେ ୫୧୪ ଭୋଟରେ ବିଜେପି ଆଗରେ ରହିଥିଲା । ସ୍ୱରୂପଙ୍କୁ ଟକ୍କର ଦେଇ ୨୦ତମ ରାଉଣ୍ଡରେ ଆଗକୁ ଯାଇଥିଲେ ମାନସ ।

୨୧ ରାଉଣ୍ଡରେ ବି ବିଜେପି ଆଗରେ ରହିଥିଲା । ବିଜେପି- ୨୩୨୧, ବିଜେଡି- ୨୩୧୪  ସହ ପାଇ ୭ ଭୋଟରେ ୨୧ ରାଉଣ୍ଡରେ ଆଗରେ ରହିଥିଲା ବିଜେପି । ମାତ୍ର ୨୨ ରାଉଣ୍ଡ ବେଳକୁ ପୁଣି ଆଗେଇଥିଲା ବିଜେଡି । ବିଜେଡି- ୩୭୩୭, ବିଜେପି- ୨୧୧୯ ସହ ୨୨ ରାଉଣ୍ଡରେ ବିଜେପି ଠାରୁ ୧୬୧୮ ଭୋଟରେ ଆଗରେ ରହିଥିଲା ବିଜେଡି । ଆଉ ଏବେ ଶେଷ ରାଉଣ୍ଡ ଅର୍ଥାତ ୨୫ ରାଉଣ୍ଡରେ ବିଜେଡି ଆଗରେ ରହି ବିଜୟ ହାସଲ କରିଛି ।

ତେବେ ବାଲେଶ୍ୱର- ତିର୍ତ୍ତୋଲ ଉପ ନିର୍ବାଚନ ଭିତରୁ ବାଲେଶ୍ୱରର ଉପରେ ଥିଲା ସମସ୍ତଙ୍କ ନଜର । ବାଲେଶ୍ୱରରେ ସମ୍ମାନ ବାଜିରେ ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ବିକାଶ ଦାୟିତ୍ୱ ନେବେ ବୋଲି କହିଥିଲେ । ଆଉ ନିର୍ବାଚନ ଜିତିବାକୁ ବିଜେପୁର ଫଣ୍ଡା ଆପଣାଇଥିଲେ । ତେବେ ବାଲେଶ୍ୱରରେ ବିଜେଡି ଜିତିବାକୁ କଳ ବଳ କୌଶଳ ଲଗାଇଦେଇଥିଲା । ବଡ ବଡ ନେତା ବାଲେଶ୍ୱର ଦାୟିତ୍ୱରେ ଥିଲେ । ବାଲେଶ୍ୱରରେ କ୍ୟାମ୍ପ ପକାଇ ରହିଥିଲେ । ଆଉ ସେମାନଙ୍କ ମାରାଥନ ରାଲି, ପ୍ରଚାର, ପରିଶ୍ରମ ପାଇଁ ବିଜେଡି ପୁଣି ସଦରକୁ ଫେରିପାଇଛି ।