ସରିଲା ପ୍ରଚାର, ଏବେ ଜନତା ଦରବାରରେ ନିଷ୍ପତ୍ତି । କଣ ହେବ ନେତାଙ୍କ ଭାଗ୍ୟ ? ୩ରେ ଭୋଟ ଦେବ ବାଲେଶ୍ୱର-ତିର୍ତ୍ତୋଲ…

288

କନକ ବ୍ୟୁରୋ: ପ୍ରଚାର ସରିଛି, ଏବେ ମତଦାନକୁ ଅପେକ୍ଷା । ଦିନକ ପରେ ବିଧାୟକ ଭାଛିବ ବାଲେଶ୍ୱର ଓ ତିର୍ତୋଲ । ଆଜି ଅନ୍ତିମ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା, ଶେଷ ମୁହୁର୍ତରେ ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି । ଆଉ ଏହାରି ଭିତରେ ଅଣଭୋଟରଙ୍କୁ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱର ସଦର ଓ ତିର୍ତୋଲ ଦୁଇଟି ଆସନରେ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରିଛନ୍ତି । ହେଲେ, ବାଲେଶ୍ୱର ଆସନ ପାଇଁ ଜୋର ଲଗାଇ ଦେଇଥିଲା ବିଜେଡି ।

୧୨ ଜଣ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ ଓ ସାଂସଦ, ଛାତ୍ର, ଯୁବ ଓ ମହିଳା ସଂଗଠନର ଶହ ଶହ କର୍ମୀ । ପ୍ରଚାର ମୈଦାନରେ ତୁଙ୍ଗ ନେତାଙ୍କ ଉପସ୍ଥିତି ହିଁ ପ୍ରମାଣ କରୁଥିଲା, ବାଲେଶ୍ୱର ବାଜିକୁ କେଉଁ ଭଳି ନେଇଛି ବିଜୁ ଜନତା ଦଳ । ବାଲେଶ୍ୱର ଉପ-ନିର୍ବାଚନ ଜିତିବା ପାଇଁ ପୁରା ଶକ୍ତି ଖଟାଇ ଦେଇଛି ବିଜେଡି । ୨୦୧୯ ନିର୍ବାଚନରେ ନିଜ ହାତରୁ ଚାଲିଯାଇଥିବା ଆସନ ଫେରି ପାଇବା ପାଇଁ ଦଳ, ଭରପୁର ପ୍ରୟାସ କରିଛି । ଯାହାର ପୁରା ଚିତ୍ର ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି । ତୃଳମୁଳସ୍ତରରେ ତୁଙ୍ଗ ନେତା ଗଡ଼ ଜଗି ରହିଥିଲେ ଏବଂ ଭର୍ଜୁଆଲ ରାଲିରେ ଭୋଟରଙ୍କୁ ସମ୍ବୋଧିତ କରିଥିଲେ ଦଳୀୟ ସୁପ୍ରିମୋ ।

ଉପ-ନିର୍ବାଚନକୁ ବିଜେଡି କେଉଁ ଭଳି ଭାବେ ନିଏ, ତାର ଉଦହାରଣ ପୂର୍ବରୁ ବିଜେପୁର ଓ ପାଟକୁରାରେ ସାରା ଓଡ଼ିିଶା ଦେଖିଛି । ଆଉ ବାଲେଶ୍ୱର ଉପନିର୍ବାଚନକୁ ଠିକ୍ ସାମନ ଢ଼ଙ୍ଗରେ ନେଇଛି ଦଳ । ବାଲେଶ୍ୱର ପ୍ରତି ବିଜେଡିର ଏଭଳି ଫୋକସ୍ ଥିଲା ଯେ, ତିର୍ତୋଲରେ କିଛି କର୍ମୀ ବାଲେଶ୍ୱରକୁ ଅଧିକ ଧ୍ୟାନ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ବିଧାୟକ ଓ ସାଂସଦ, ରାଜ୍ୟ ବିଜେପି ସଭାପତି, ଯୁବ ଛାତ୍ର ଓ ମହିଳା ସଂଗଠନ । ବାଲେଶ୍ୱର ସଦର ଆସନକୁ ନିଜ ହାତରେ ରଖିବାକୁ ବିଜେପିର ଉଦ୍ୟମ ବି କୌଣସି ଗୁଣରେ କମ୍ ନଥିଲା । ଦିବଙ୍ଗତ ବିଧାୟକ ମଦନମୋହନ ଦତଙ୍କ ପୁଅଙ୍କୁ ମୈଦାନକୁ ଓହ୍ଲାଇ ମୁଳରୁ ହିଁ ଭାବପ୍ରବଣତାର ସ୍ରୋତ ବୁହାଇବାକୁ ଉଦ୍ୟମ କରିଛି ଭାରତୀୟ ଜନତା ପାର୍ଟି । ଆଉ ବିଜେପି ପ୍ରାର୍ଥୀ ବାପାଙ୍କ ଫଟୋ ଚିତ୍ର ଧରି ପ୍ରଚାର କରି ଅନୁକମ୍ପା ଭୋଟ୍ ଗୋଟାଇବାକୁ ମଧ୍ୟ ଉଦ୍ୟମ କରିଛନ୍ତି ।

ଏହାରି ଭିତରେ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ବୟାନ ଏବଂ ବିଜେଡି ନେତା କୁନା ତ୍ରିପାଠୀଙ୍କ ବୟାନକୁ ନେଇ ବିଜେଡିକୁ ଘେରିଛି ଭାରତୀୟ ଜନତା ପାର୍ଟି । କ୍ଷମତାସୀନ ବିଜେଡିର ଶକ୍ତିକୁ ପ୍ରତିହତ କରି କେମିତି ୨୦୧୯ର ସଫଳତା ୨୦୨୦ରେ ଦୋହରାଇବ ସେ ନେଇ ଭରପୁର ପ୍ରୟାସ କରିଛି ବିଜେପି ।

କଂଗ୍ରେସର ରଣନୀତି ବି ଉଭୟ ବିଜେପି ଓ ବିଜେଡିକୁ ଚମକାଇ ଦେଇଛି । କାରଣ ନୂଆ ଚେହେରା ଓ ମହିଳା ଚେହେରାଙ୍କୁ ପ୍ରାର୍ଥୀ କରି କଂଗ୍ରେସ, ବାଲେଶ୍ୱର ସଦର ନିର୍ବାଚନ ଜିତିବାକୁ ଉଦ୍ୟମ କରିଛି । ପିସିସି ସଭାପତି, ଓଡ଼ିଶା ପ୍ରଭାରୀ, କଂଗ୍ରେସ ବିଧାୟକ ପ୍ରଚାର ଅଭିଯାନରେ ସାମିଲ ହୋଇ, କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ କରିଛି କଂଗ୍ରେସ ।

ଆଉ ଏସବୁ ଭିତରେ ସମସ୍ତଙ୍କୁ ଚକମା ଦେଇ ପ୍ରଚାର ଗଣିତକୁ ଗୋଳମାଳିଆ କରିଦେଇଥିଲେ ବେଣୁ ମଉସା । ସ୍ୱାଧୀନ ପ୍ରାର୍ଥୀ ଥିବା ବେଣୁଧର ବାରିକ୍, ସୋସିଆଲ ମିଡ଼ିଆରୁ ଆରମ୍ଭ କରି ପ୍ରଚାର ମୈଦାନରେ ଛାଇ ଯାଇଥିଲେ । କାରଣ, ତାଙ୍କ ପ୍ରଚାରରେ ଗାଡ଼ି-ଘୋଡ଼ା ନେଇ ସାମିଲ୍ ହୋଇଥିଲେ କଳାକାର ଓ ସାମାଜିକ କର୍ମୀ ।

ଏପଟେ ତିର୍ତୋଲରେ ବି ତିନି ପ୍ରମୁଖ ଦଳ ପ୍ରଚାର ଜୋରଦାର କରିଛନ୍ତି । ଦେଖିବାର କଥା କାହାର ପ୍ରଚାର ଓ ପ୍ରାର୍ଥୀ, ଭୋଟରଙ୍କୁ ଅଧିକ ପ୍ରଭାବିତ କରିଛି । ଆସନ୍ତା ୧୦ ତାରିଖରେ ଯେତେବେଳେ ଫଳାଫଳ ଆସିବ, ସେତେବେଳେ ସ୍ପଷ୍ଟ ହୋଇଯିବ ବାଲେଶ୍ୱର ସଦର ଓ ତିର୍ତୋଲରେ କାହାକୁ ବାଛିଲେ ଜନତା ।