କମୁଛି କେଟିଲିର ମାର୍କ । କାମ ଦେଲାନି ବେଣୁଙ୍କ ପାଇଁ ମର୍ସିଡିଜ୍ ପ୍ରଚାର ? ସଦର ଦୌଡର ବହୁ ଦୂରରେ ବେଣୁ ମଉସା । ୧୭ ରାଉଣ୍ଡ ସୁଦ୍ଧା ୬୫୦ ଭୋଟ୍

970

କନକ ବ୍ୟୁରୋ: ବାଲେଶ୍ୱର ବ୍ୟାଟେଲ ଗ୍ରାଉଣ୍ଡରେ ବହୁ ପଛରେ ବେଣୁ ମଉସା । ସଦର ସର୍ଦ୍ଦାର ହେବାକୁ ଯେଉଁ ଦୌଡ ଚାଲିଛି ସେ ରେସର ବହୁ ଦୂରରେ ରହିଛନ୍ତି ସଦରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଗତ ୩ ତାରିଖ ଦିନ ପରୀକ୍ଷା ହୋଇଥିବା ବେଳେ ଆଜି ବାହାରୁଛି ଫଳ । ଅର୍ଥାତ ନେତାଙ୍କ ଉପରେ ରାୟ ଦେଉଛନ୍ତି ଜନତା । ତେବେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ଜୋରସୋରରେ ଚାଲିଥିବା ବେଳେ ଏଯାଏଁ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସା କମ ଭୋଟ ପାଇଛନ୍ତି ।

ପ୍ରଥମ ରାଉଣ୍ଡରେ ୩୦, ୨ୟ ରାଉଣ୍ଡରେ ୪୨, ୩ୟ ରାଉଣ୍ଡରେ ୨୭, ୪ର୍ଥ ରାଉଣ୍ଡରେ ୨୮, ୫ମ ରାଉଣ୍ଡରେ ୩୧, ୬ଷ୍ଠ ରାଉଣ୍ଡରେ ୩୩, ୭ମ ରାଉଣ୍ଡରେ ୨୬, ୮ମ ରାଉଣ୍ଡରେ ୩୩, ୯ମ ରାଉଣ୍ଡରେ ୫୦, ଦଶମରେ ୨୬ । ସେହିପରି ୧୧ରେ ୨୬, ୧୨ରେ ୪୩, ୧୩ରେ ୨୫, ୧୪ରେ ୪୬, ୧୫ ରାଉଣ୍ଡରେ ୫୨ ଏବଂ ୧୬ ରାଉଣ୍ଡରେ ୬୬ ଖଣ୍ଡ ଭୋଟ ସହ ମୋଟ ୫୮୪ ଖଣ୍ଡ ଭୋଟ ପାଇ ଲଢେଇ ଜାରି ରଖିଛନ୍ତି ବେଣୁଧର ।

ତେବେ ବାଲେଶ୍ୱର ବିଗ୍ ଗ୍ରାଉଣ୍ଡରେ ବିଜେଡି-ବିଜେପି ମଧ୍ୟରେ ନେକ୍ ଟୁ ନେକ୍ ଫାଇଟ୍ ଚାଲିଥିବା ବେଳେ ବେଣୁଙ୍କୁ ନେଇ ମଧ୍ୟ ଅନେକ ଆକଳନ କରାଯାଇଥିଲା । ଯେତେବେଳେ ଶଙ୍ଖ-ପଦ୍ମ ମଧ୍ୟରେ ଲଢେଇ ହେବାକୁ ପ୍ରସ୍ତୁତି ଚାଲିଥିଲା ଠିକ୍ ସେତେବେଳେ ନିର୍ବାଚନୀ କୁରୁକ୍ଷେତ୍ରକୁ ଓହ୍ଲାଇଥିଲା କେଟିଲି । ଆଉ ହଠାତ ଉଭା ହୋଇଥିଲେ ବୟସ୍କ ପ୍ରାର୍ଥୀ, ୯୦ ବର୍ଷର ଯୋଦ୍ଧା ବେଣୁଧର ବାରିକ । ତେବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦଳୀୟ ନେତାଙ୍କୁ ଟକ୍କର ଦେବାକୁ ବେଣୁଙ୍କ ଆବିର୍ଭାବ ପରେ ତାଙ୍କୁ ସହଯୋଗ ପାଇଁ ଅନେକ କଳାକାର ବାହାରିଥିଲେ । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସହ ଅନେକ ତାଙ୍କୁ ଜିତାଇବାକୁ ପ୍ରଚାର ମଙ୍ଗ ସମ୍ଭାଳିଥିବା ବେଳେ ବେସ ଚର୍ଚ୍ଚାରେ ଥିଲେ ବେଣୁ । ଏମିତି ବି କୁହାଯାଉଥିଲା ବେଣୁଙ୍କ କ୍ରେଜ ଆଗରେ ବିଜେପି, ବିଜେଡିର ଭୋଟ କଟିବ । ମାତ୍ର ଗଣତିରେ ଯାହା ଟ୍ରେଣ୍ଡ ସାମ୍ନାକୁ ଆସୁଛି ବେଣୁଧର ବାରିକ ଅନ୍ୟମାନଙ୍କ ଠାରୁ ବହୁ ଦୂରରେ ।