ବାଲେଶ୍ୱର ଲୋକସଭା ପ୍ରାର୍ଥୀଙ୍କ ବିରାଟ ପଟୁଆର! ନାମାଙ୍କନ ଭରିଲେ ବିଜେଡିରୁ ରବୀନ୍ଦ୍ର, କଂଗ୍ରେସରୁ ନବଜ୍ୟୋତି ଏବଂ ବିଜେପିରୁ ପ୍ରତାପ । ଏବେ ଭୋଟର ବାଛିବେ ବିଜେତା

151

କନକ ବ୍ୟୁରୋ : ବାଲେଶ୍ୱର ଫାଇଟ୍ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ । ନାମାଙ୍କନ ଭରିବା ଆଗରୁ ସମର୍ଥକଙ୍କ ସହ ଶୋଭାଯାତ୍ରା କରି ପତିଆରା ପ୍ରଦର୍ଶନ କରିଛନ୍ତି ବାଲେଶ୍ୱରର ସାଂସଦ ପ୍ରାର୍ଥୀ ।ଆଜି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡିର ରବିନ୍ଦ୍ର ଜେନା, ବିଜେପିର ପ୍ରତାପ ଷଡଙ୍ଗୀ ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏହି ନାମାଙ୍କନ ପୂର୍ବରୁ ବାଲେଶ୍ୱର ଦେଖିଛି ୩ଟି ମେଗା ରୋଡ- ଶୋ ।

ପାରମ୍ପରିକ ବାଦ୍ୟ ଓ ନାରାବାଜି ଭିତରେ ବିରାଟ୍ ପଟୁଆରରେ ବାହାରିଛି ନେତାଙ୍କ ରାଲି । ଶହ ଶହ କର୍ମୀଙ୍କ ଉପସ୍ଥିତିରେ ତିନି ପ୍ରମୁଖ ଦଳର ଲୋକସଭା ପ୍ରାର୍ଥୀଙ୍କ ବିଶାଳ ଶୋଭାଯାତ୍ରା । ଆଉ ଶକ୍ତି ପ୍ରଦର୍ଶନ କରିବାରେ କୌଣସି ନେତା କାହାଠାରୁ କମ ନୁହଁନ୍ତି । ବାଲେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଶହ ଶହ କର୍ମୀଙ୍କ ଏକ ବିରାଟ୍ ପଟୁଆର ନେଇ ପହଂଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏକ ସୁସଜ୍ଜିତ ଗାଡ଼ିରେ ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା ଜଣେ ଯୁବ ସଂଗଠକ ଭାବରେ ପ୍ରତିପକ୍ଷକୁ କଡ଼ା ଚ୍ୟାଲେଞ୍ଜ ଦେବାର ସାମର୍ଥ୍ୟ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଶକ୍ତି ପ୍ରଦର୍ଶନ କରିବାରେ ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ମଧ୍ୟ କୌଣସି ଗୁଣରେ କମ୍ ନଥିଲେ । ଷ୍ଟାଣ୍ଡିଂ ଏମପି ଥିବା ରବିନ୍ଦ୍ର ଜେନା, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଦାଖଲ କରିବା ସହ ବିଜୟ ନେଇ ଦୃଢୋ଼କ୍ତି ପ୍ରକାଶ କରିଛନ୍ତି ।

ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ମଧ୍ୟ ନିଜ କର୍ମୀ ଏବଂ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଦିଙ୍କ ଉପରେ ଲୋକଙ୍କ ଆସ୍ଥା ଥିବା ପ୍ରତାପ ଷଡଙ୍ଗୀ ଦାବି କରିଥିବା ବେଳେ ନବୀନ ସରକାରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବାଲେଶ୍ୱର ଲୋକ ନିଷ୍ପତି ନେଇ ସାରିଥିବା କହିଛନ୍ତି ବିଜେପିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ । କୌଣସି ନେତା କାହାଠାରୁ କୌଣସି ଗୁଣରେ କମ୍ ନଥିବା ବେଳେ ଜନତା କାହାକୁ ନିର୍ବାଚିତ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହୋଇଯିବ ।