କନକ ବ୍ୟୁରୋ: ବାଲେଶ୍ୱରରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତୋଲର ଭର୍ଚୁଆଲ୍ ରାଲି ପରେ ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଜନସଭା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଭାମଂଚରୁ ଅଭିଯୋଗ କରିଛନ୍ତି , ଏସଏଚଜି ସଦସ୍ୟଙ୍କ ଜରିଆରେ ଟଙ୍କା ବାଂଟୁଛି ବିଜେଡି । ଏସଏଚଡି ମହିଳା ମାନଙ୍କୁ ଶାଢୀ ଓ ମୁଣ୍ଡ ପିଛା ୨ ଶହ ଟଙ୍କା ବାଂଟିଥିବା ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର । ଏଥିସହିତ କରୋନା କାଳରେ କାହିଁକି ଏହି ଟଙ୍କା ବାଂଟିଲେ ନାହିଁ ବୋଲି ବିଜେଡିକୁ ତାତ୍ସଲ୍ୟ କରିଛନ୍ତି ।
ସେହିପରି କେବଳ ବାଲେଶ୍ୱରକୁ ମୋଦି ସରକାର ୯୨୨ କୋଟି ୪୮ ଲକ୍ଷ ଟଙ୍କା ପଠାଇଥିବା ହିସାବ ରଖିଛନ୍ତି । କରୋନା ତାଲାବନ୍ଦ ସମୟରେ ବାଲେଶ୍ୱର ଯୁବକ ବାହାରେ ଦାଦନ ଖଟୁଥିବାର ସତ ଜଣାପଡିଛି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାରେ ବାଲେଶ୍ୱରକୁ ସାମିଲ କରାଯାଇଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କାମ ସୃଷ୍ଟି କରିପାରିନଥିବା ସେ ଅଭିଯୋଗ ବାଢିଛନ୍ତି ।